ବଲାଙ୍ଗୀର,ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବା ନେଇ ସୂଚନା ମିଳିଛି। ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ ସଂଗ୍ରାମୀମାନେ ଧାରଣାରେ ବସିଛନ୍ତି। ସମସ୍ତ ଯାନବାହାନ ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ଆଦି ବନ୍ଦ ରହିବା ସହ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି ।
ଏନେଇ ଗତ ସପ୍ତାହଟିଏ ହେଲା ଟିଟିଲାଗଡ଼ ଜିଲ୍ଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି। ୧୫ ଦିନ ମଧ୍ୟରେ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି। ଆଜିର ଏହି ବନ୍ଦକୁ ସହରବାସୀ ସମର୍ଥନ ଜଣାଇଛନ୍ତି। କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ଵରେ ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଛନ୍ତି।