-
ଦିବଙ୍ଗତ ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ପାରିତ ହେବା ପରେ ପ୍ରଥମାର୍ଧ ବୈଠକ ସ୍ଥଗିତ
ଭୁବନେଶ୍ୱର, ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଦିବଙ୍ଗତ ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କ ପାଇଁ ଶ୍ରଦ୍ଧାଂଜଳି ଅର୍ପିତ କଲା ପରେ ପ୍ରଥମାର୍ଧ ବୈଠକ ସ୍ଥଗିତ ହୋଇଛି ।
ଆଜି ପ୍ରଥମ ଦିବସ ହୋଇଥିବା କାରଣରୁ ନିର୍ଧାରିତ କାର୍ଯ ସୂଚୀ ଅନୁସାରେ ଦିନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତୀୟ ସଂଗୀତ ପରେ ବାଚସ୍ପତି ଦିବଙ୍ଗତ ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ ।
ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୀନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂହ ବରିହା, ଆସୀନ ବିଧାୟକ ବିଷ୍ଣୁ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ, ପୂର୍ବତନ ବିଧାୟକ କପିଲ ନାରାୟଣ ତିୱାରୀ, ଗୋପ ନାରାୟଣ ଦାସ, ଆଦିକନ୍ଦ ସେଠୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ଏହା ପରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସିପିଏମ ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ଶୋକ ପ୍ରସ୍ତାବ ପାରିତ କରାଯିବା ସହ ଦିବଙ୍ଗତ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆତ୍ମାର ସଦଗତି କାମନା ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହା ପରେ ବିଧାନସଭା ବାଚସ୍ପତି ଗୃହକୁ ଅପରାହ୍ନ 5ଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।