ଭୁବନେଶ୍ୱର,କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବାଇଣ୍ଡରଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ । ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ ।ସର୍କଲ ଚେକ୍ରସ୍ ଓ ବାଇଣ୍ଡିଂ ଚେକରସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ । ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ପ୍ରାୟ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଉପକୃତ ହେବେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର ୧୮% ଜିଏସଟି ରଖିଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ଏମାନେ ସମସ୍ତେ ଗରିବ ଲୋକ ।ତେଣୁ କେନ୍ଦୁପତ୍ର ଉପରୁ ଏଝଞ ଉଠାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଁ ବାରମ୍ୱାର ଅନୁରୋଧ କରିଛି । ଗରିବ ଲୋକଙ୍କ ହିତ ଦୃଷ୍ଟି ରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ମୁଁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରୁଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି । ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି । ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି ।