ଢ଼େଙ୍କାନାଳ, ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିସରରେ ଥିବା ଧୂନି ଓ ବତି ମନ୍ଦିରକୁ ଭାଙ୍ଗିଛି ଜେସିବି । ମନ୍ଦିରକୁ ନେଇ ବକ୍କଳଧାରୀ ଓ କୌପିନଧାରୀଙ୍କ ମଧ୍ୟରେ ବିବାଦ ଥିଲା । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପ୍ରଶାସନ ପକ୍ଷରୁ ମନ୍ଦିର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଉପଜିଲ୍ଲାପାଳ ଏବଂ ଢ଼େଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଶାନ୍ତି ରକ୍ଷା ପାଇଁ ଉଭୟ ପକ୍ଷଙ୍କୁ ଅପିଲ୍ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ମହିମା ପୀଠରେ ଥିବା ଉଭୟ ବକ୍କଳଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମଧ୍ୟରେ ଏହି ମନ୍ଦିରକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ୧୯୪୫ ମସିହାରୁ ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା । ତେବେ ଏହି ମନ୍ଦିରଗୁଡିକୁ କୌପିନଧାରୀ ମହିମା ସମାଜ ବ୍ୟବହାର କରୁଥିଲେ । ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାକୁ ନେଇ କୋର୍ଟରେ କେସ୍ କରାଯାଇଥିଲା । ପରବର୍ତୀ ସମୟରେ ଏହି ଜାଗାକୁ ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।