ମାଲକାନଗିରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ନାୟକ, ମଡେଲ ଡିଗ୍ରୀ କଲେଜର ନିବେଦିତା ମିଶ୍ର ଏବଂ ସତ୍ୟ ନାରାୟଣ କଲେଜର ଅଭିଷେକ ପଟ୍ଟନାୟକ, କେନ୍ଦ୍ରୀୟ ବିଦ୍ୟାଳୟର ରୁଦ୍ର ମାଧବ ଚୌଧୁରୀଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଏହି ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡଃ. ସରୋଜ ଦାସ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷାର୍ଥୀବୃନ୍ଦଙ୍କ ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।