ଭୁବନେଶ୍ୱର,ଅର୍ଚ୍ଚନା ନାଗ ମାମଲାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ମଙ୍ଗଳବାର ଦିନ ୨ଟାରେ ଇଡିରେ ହାଜର ହୋଇଛନ୍ତି । ଇଡିର ନୋଟିସ୍ ଅନୁଯାୟୀ ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜା ଇଡିରେ ହାଜର ହୋଇନଥିଲେ । ତାଙ୍କ ଓକିଲ ଆକାଶ ଭୂୟାଁ ଅକ୍ଷୟଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି । ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଥିବା କହିଥିଲା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା ।