ଖୋର୍ଦ୍ଧା, ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ମଙ୍ଗଳବାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଦେଶୀ ମଦ ଭାଟି ଉପରେ ଚଢ଼ଉ କରାଯାଇଛି। ଗ୍ରାମର ଅନେକ ସ୍ଥାନରେ ଦୀର୍ଘ ସମୟ ଧରି ଚଢ଼ଉ ଜାରି ରହିଥିଲା। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ଵରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢଉ ସମୟରେ ବିଭାଗ ପକ୍ଷରୁ ମୋଟ ୧୨ ହଜାର କେଜି ଗୁଡ ମିଶ୍ରିତ ମହୁଲି ପୋଚ ଓ ୬୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।
ଏହି ଚଢଉରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଜିଲ୍ଲା ମୋବାଇଲ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳାଇ, ଜଟଣୀ ଅବକାରୀ ଅଧିକାରିଣୀ ଗୀତାଞ୍ଜଳି ବେହେରାଙ୍କ ସମେତ ଅବକାରୀ କର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ। ହେଲେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଦେଶୀ ମଦ ବେପାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏନେଇ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ କରିଛି।