ଭୁବନେଶ୍ୱର, ପଶ୍ଚିମ ଓଡିଶାର ବରଗଡ, ପଦ୍ମପୁର ଆଦି ଅଂଚଳରେ ଚାଷୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିଲେ ସୁଦ୍ଧା ସରକାରଙ୍କ ନିଦ ଭାଙ୍ଗୁ ନଥିଲା । ଏବେ ପଦ୍ମପୁର ଉପନିର୍ବାଚନ ଦୃଷ୍ଟିରୁ ବିଜେଡି ଓ ବିଜେଡି ଉଭୟେ ପରସ୍ପରକୁ ଦାୟୀ କରି ଚାଷୀମାନଙ୍କୁ ଭଣ୍ଡାଇବାକୁ ଉଦ୍ୟମ କରୁଛନ୍ତି । ଫସଲ ବୀମା ରାଶି ଚାଷୀଙ୍କୁ ନ ମିଳିବା ପାଇଁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଦୋଷୀ । ନିକଟରେ ଏକ ତଥ୍ୟ ପ୍ରକାଶ ପାଇଛି ଯେ ବିନା ପୁଞ୍ଜି ବିନିଯୋଗରେ ଏହି କମ୍ପାନୀମାନେ ୪୦୦୦୦ କୋଟି ଟଙ୍କା ହଡପ କରିଛନ୍ତି । ଓଡିଶା ସମେତ କୌଣସି ରାଜ୍ୟରେ ଚାଷୀ ଏହାର କୌଣସି ସୁବିଧା ପାଉନାହାଁନ୍ତି । ଏହାର ପରିଣାମ ସ୍ୱରୁପ ବିଜେପି ଶାସିତ ଗୁଜୁରାଟ ସମେତ ୧୦ ରୁ ଉର୍ଦ୍ଧ୍ୱ ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହୋଇଥିବା ଚୁକ୍ତିରୁ ଓହରିବା ଆରମ୍ଭ କରିଛନ୍ତି ସି.ପି.ଆଇ.(ଏମ୍) ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
କେନ୍ଦ୍ର ସରକାର ସ୍ଥିର କରିଥିବା ହାତ ଗଣତି କିଛି କମ୍ପାନୀ ମଧ୍ୟରୁ ଘରୋଇ ବୀମା କମ୍ପାନୀମାନଙ୍କୁ ଓଡିଶାରୁ ହଟାଇବା ସହ ଖିଲାପି କମ୍ପାନୀ ଗୁଡିକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଦାବୀ କରାଯାଇଛି । କିନ୍ତୁ ଓଡିଶାରେ ଘରୋଇ ବୀମା କମ୍ପାନୀର ବ୍ୟବସାୟ ଚାଲୁ ରହିଛି । ଓଡିଶାର ଚାଷୀ ବହୁଳ ଅଞ୍ଚଳ ପଦ୍ମପୁର ସମେତ ସମଗ୍ର ରାଜ୍ୟରେ କ୍ଷତିଗ୍ରସ୍ତ ଚାଷୀମାନେ ବୀମା ରାଶି ପାଉନାହାଁନ୍ତି । ରାଜ୍ୟ ସରକାରଙ୍କ ଟେକନିକାଲ ଟିମ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଲା ପରେ ବୀମା କମ୍ପାନୀ ଚାଷୀଙ୍କୁ ଏହି ବୀମା ରାଶି ପୈଠ କରିବା ପାଇଁ ନିୟମ ରହିଛି ।
ଏହା ସହିତ ସମସ୍ତ ଚାଷୀମାନଙ୍କ ନିକଟରୁ କୁଇଂଟାଲ ପ୍ରତି ୩୦୦୦ଟଙ୍କା ଦରରେ ସବୁ ଧାନ କ୍ରୟ କରିବାକୁ ସି.ପି.ଆଇ.(ଏମ୍) ପକ୍ଷରୁ ଦାବୀ କରାଯାଇଛି । ରାଜ୍ୟ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ପ୍ରତି ବର୍ଷ ଉତ୍ପାଦନ ଖର୍ଚ୍ଚର ଅର୍ଦ୍ଧେକ ଖର୍ଚ୍ଚ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟକୁ ସମର୍ଥନ କରୁଥିବା କହୁଥିଲେ ହେଁ ରାଜ୍ୟରେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେଉନାହାଁନ୍ତି । ଓଡିଶା ସରକାର ଟଙ୍କାଟିଏ ମଧ୍ୟ ବୋନସ୍ ଦେଉନାହାଁନ୍ତି । ରାଜ୍ୟ ସରକାର ସଂଗ୍ରହ ମୂଲ୍ୟ ଉପରେ ରାଜ୍ୟ ଖାଉଟି ଓ ଯୋଗାଣ କର୍ପୋରେସନ୍ ପାଉଥିବା କମିଶନ ଛାଡ କରି ଦେଇ ସେହି ଅର୍ଥ ସିଧାସଳଖ ଅନ୍ତତଃ ଚାଷୀମାନଙ୍କୁ ପ୍ରଦାନ କଲେ ଚାଷୀମାନେ କିଛିଟା ଉପକୃତ ହୁଅନ୍ତେ । ଏହା ସହିତ ଚାଷୀମାନଙ୍କ ମଧ୍ୟରେ ଟୋକନ ବଂଟା ହେଲା ପରେ ମଧ୍ୟ ଧାନ ସଂଗ୍ରହ ହେଉନାହିଁ । ଫଳରେ ଚାଷୀ ଅଭାବୀ ଦରରେ ଧନ ବିକ୍ରୀ କରିବାକୁ ବାଧ୍ୟ ହେଉଛି । ଏପରି ଶହ ଶହ କୋଟି ଟଙ୍କାର ଦୁର୍ନିତୀ ସ୍ପଷ୍ଟ ଦିବାଲୋକରେ ଚାଲିଛି ।