ଜୟପୁର, ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ଗାଁର ଜଣେ କଲେଜ ଛାତ୍ର କୋରାପୁଟରୁ ନିଖୋଜ ହେବା ଘଟଣାର ଫର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ। କଲେଜ ଛାତ୍ରଙ୍କୁ ରାଉରକେଲାରୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା କର୍ଲାମୁଣ୍ଡା ଅଞ୍ଚଳର ଜିତେନ୍ଦ୍ରିୟ ବାଘ ।
ଘଟଣା ପରେ ଟାଉନ୍ ଥାନାରେ ୩୬୪(ଏ) ଦଫାରେ ଏକ ମାମଲା (ନଂ୨୯୧/୨୨) ରୁଜ୍ଜୁ ହୋଇଛି । କଲେଜ ଛାତ୍ରଙ୍କ ବୟାନ ରେକର୍ଡ ପରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ । ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସଦର ଏସଡିପିଓ ମନୋଜ ପୁଜାରୀ ଓ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡାର ଜିତେନ୍ଦ୍ରିୟ ଚିତ୍ରକୋଣ୍ଡା ଅଞ୍ଚଳର ସହଯୋଗୀମାନଙ୍କ ଠାରୁ ସୂଚନା ରଖି ଫୁଲପଦର ଗାଁର ଜଣେ ପାଷ୍ଟରଙ୍କ କଲେଜ ପଢ଼ୁଆ ପୁଅକୁ ଟାର୍ଗେଟ କରିଥିଲେ । ଏହି କଲେଜ ଛାତ୍ରଙ୍କୁ ଫୁସୁଲେଇ ବୁଲିଯିବାକୁ ଡାକିଥିଲେ ଜିତେନ୍ଦ୍ରିୟ । କଲେଜ ଛାତ୍ର ମଧ୍ୟ ତାଙ୍କ କଥାରେ ପଡ଼ି ଘର ଖୋଜିବାକୁ କୋରାପୁଟ ଯାଉଥିବା କହି ଜିତେନ୍ଦ୍ରିୟଙ୍କ ସହ ଜମ୍ମୁ କାଶ୍ମୀର ଚାଲିଯାଇଥିଲେ। ସେଠାରେ କଲେଜ ଛାତ୍ରଙ୍କ ମୋବାଇଲକୁ ନିଜ କବାଜକୁ ନେଇ ଛାତ୍ରଙ୍କୁ ଅପହରଣ କରିବା ସହ ତାଙ୍କ ବାପାଙ୍କୁ ଫୋନ କଲ୍ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ନ ଦେଲେ ହତ୍ୟା ଧମକ ଦେଲେ । ଏନେଇ ପାଷ୍ଟର ଜଣକ କୋରାପୁଟ ଟାଉନ ଥାନାର ଦ୍ୱାରସ୍ଥ ହେଲେ । ପାଖରେ ଗଚ୍ଛିତ ଥିବା ଟଙ୍କା ସରିଯିବାରୁ ଜିତେନ୍ଦ୍ରିୟ ଜମ୍ମୁ କାଶ୍ମୀରରୁ ଉକ୍ତ କଲେଜ୍ ଛାତ୍ରଙ୍କୁ ନେଇ ତାଙ୍କର ଜଣେ ରାଉଲକେଲାର ସହଯୋଗୀଙ୍କ ଘରକୁ ଚାଲିଆସିଥିଲେ। ପରେ ସୂଚନା ପାଇ ଟାଉନ ଥାନା ଅଧିକାରୀ ଧିରେନ୍ ପଟ୍ଟନାୟକଙ୍କ ଟିମ୍ ଉଭୟ ଅଭିଯୁକ୍ତ ଓ ପୀଡ଼ିତଙ୍କୁ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳରୁ ଉଦ୍ଧାର କରିଥିଲେ । ଗିରଫ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ୨ଟି ମୋବାଇଲ ଜବତ କରିଛି ।