କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,କାକଟପୁର ବ୍ଲକ ନୂତନ ପେନସନ ଯୋଜନାଭୁକ୍ତ ମିଳିତ ଶିକ୍ଷକ ମହାସଂଘ ତରଫରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ପ୍ରତିବାଦ ସଭା ଗତ ଶନିବାର ଦିନ ଆୟୋଜିତ ହୋଇଯାଇଛି ।
୨୦୦୧ରୁ ୨୦୧୫ ମଧ୍ୟରେ ବ୍ଲକରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ଥିବା ୨୭୨ଜଣ ଶିକ୍ଷକଙ୍କୁ ସରକାର ଦରମା ନାମରେ ୬ ବର୍ଷ ବେଠି ଖଟେଇ ପାତର ଅନ୍ତର ନୀତି ଗ୍ରହଣ କରିଛନ୍ତି ।ଯାହାକୁ ନେଇ ବ୍ଲକର ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଅପରାହ୍ନ ୧ ଘଟିକା ଶିକ୍ଷକମାନେ ବ୍ଲକର ‘ଶିକ୍ଷକ ଭବନ’ରେ ଏକତ୍ରିତ ହୋଇ ସେମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ ନେଇ ଆଲୋଚନା କରିଥିଲେ ।ସେମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ମୂଖ୍ୟମନ୍ତ୍ରୀ,ଶିକ୍ଷା ସଚିବ,୫ଟି ସଚିବ,ଶିକ୍ଷା କମିଶନର ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ନାମରେ ମେମୋରାଣ୍ଡମ ପ୍ରଦାନ କରିଥିଲେ ।ରାଜ୍ୟ ସରକାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରି ସେମାନଙ୍କ ଚୁକ୍ତିଭିତ୍ତିକ ସମୟକୁ ଚାକିରି କାଳରେ ଗଣନା କରିବା ସହ ଛଅ ଛଅଟି ଇନକ୍ରିମେଣ୍ଟ ପ୍ରଦାନ କରିଥିବା ବେଳେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିରେ ୨୦୦୧ରୁ ୨୦୧୫ ମଧ୍ୟରେ ନିଯୁକ୍ତିପ୍ରାପ୍ତ ‘ଶିକ୍ଷା ସହାୟକ’ ଭାବେ କାର୍ଯ୍ୟ କରି ରାଜ୍ୟର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିଥିବା ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ ।
ଶିକ୍ଷକ ମାନଙ୍କ ତିନି ଦଫା ଦାବି ଯଥା ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବନ୍ଦ କରିବା ସହ ୨୦୦୧ରୁ ୨୦୧୫ ମଧ୍ୟରେ ନିଯୁକ୍ତି ପ୍ରାପ୍ତ ଏହି ବର୍ଗର ଶିକ୍ଷକଙ୍କ ଛଅ ବର୍ଷର ଠିକା ଚାକିରି କାଳକୁ ଚାକିରି ଅବଧିରେ ଗଣନା କରି ଛଅଟି ଇନକ୍ରିମେଣ୍ଟ ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ବ୍ୟବସ୍ଥାର ପୁନଃ ପ୍ରଚଳନ ।ଏହିସବୁ ଦାବି ଗୁଡିକୁ ପୁରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ।
ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଏହାର ଉଚିତ ଜବାବ ରାଜଧାନୀର ରାଜରାସ୍ତାରେ ଆସନ୍ତା ୨୭ ତାରିଖରେ ଦିଆ ଯିବ ବୋଲି ସଂଗଠନର କର୍ମକର୍ତ୍ତା ସଭାପତି ରକ୍ଷକ କୁମାର ସ୍ବାଇଁ ,ସଂପାଦକ ହୃଦାନନ୍ଦ ସାସମଲ,ରାଜ୍ୟ ସଂଯୋଜକ ସୁନିଲ କୁମାର ମହାନ୍ତି,ହିରଣ୍ୟ କଶ୍ୟପୁ ଓଝା,ବିଷ୍ଣୁ କୁମାର ସୁବଦ୍ଧି,ମାନସ କୁମାର ମିଶ୍ର , ରଞ୍ଜିତ କୁମାର ନାୟକଙ୍କ ସମେତ ସମସ୍ତ ସିଆରସିସି ଚେତାବନୀ ଦେଇଛନ୍ତି ।