ବଲାଙ୍ଗିର, ଖପ୍ରାଖୋଲ ପୁଲିସକୁ ପୁଣି ଗୋଟିଏ ଦାଦନ ଚାଲାଣ ରୋକିବା ଦିଗରେ ସଫଳତା ମିଳିଛି। ଖପ୍ରାଖୋଲ ଥାନା କର୍ମଚାରୀମାନେ ହରିଶଙ୍କର ଛକ ଠାରେ ପେଟ୍ରୋଲିଂ ବେଳେ ପାଞ୍ଚ ଶିଶୁ ସମେତ ୧୮ ଦାଦନ ଶ୍ରମିକ ଗତକାଲି ଉଦ୍ଧାର କରିଥିବା ଜଣାଯାଇଛି ।
ସୂଚନା ଅନୁସାରେ, ଥାନା ଏସଆଇ ଗୋପୀନାଥ ମହାକୁଡ଼, ଏଏସଆଇ ଗୋପାଳକୃଷ୍ଣ କୁମୁରା, କନେଷ୍ଟବଲ ସଞ୍ଜୀବ ସାହୁ, ସଞ୍ଜୁ ପଧାନ ପାଟ୍ରୋଲିଂ କରୁଥିବା ବେଳେ ଏକ ଗାଡି ଦୃତ ଗତିରେ ଯାଉଥିବାରୁ ତାକୁ ଅଟକାଇ ପଚରା ଉଚୁରା କଲା ବେଳେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ପାରିଥିଲେ । ଏହାପରେ ଗାଡି ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଆଣିଥିଲେ । ଶ୍ରମିକ ମାନଙ୍କୁ ପଚରାଉଚୁରା ବେଳେ ସେମାନେ ବରଗଡ଼ ଜିଲ୍ଲା ଅତାବିରା ଥାନା ବନ୍ଧର ଗାଁର ବୋଲି ଜଣାପଡିଛି । ମୋଟ ୧୦ ଜଣ ପୁରୁଷ, ୮ ଜଣ ମହିଳା ଓ ୫ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ଶ୍ରମିକ ମାନଙ୍କୁ ତୁରେକେଲା ଥାନା ଖର୍ଲି ଗାଁର ଦାଦନ ସର୍ଦ୍ଦାର ନୀଳମଣି ମେହେର ବେଆଇନ ଚାଲାଣ କରୁଥିଲା । ଏନେଇ ସର୍ଦ୍ଦାରକୁ ଗିରଫ କରିଛି ପୁଲିସ। ଦାଦନ ଚାଲାଣ ହେଉଥିବା କୃଜ ଫୋର୍ସ ଓଡି ୧୭ସି୦୮୨୩ ଗାଡିକୁ ଜବତ କରିଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ୍ ନମ୍ବର ୧୯୩/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ବେଆଇନ ଦାଦନ ଚାଲାଣ ଉପରେ କଡାକଡ଼ି ନଜର ରହିଥିବା କହିଥିବା ବେଳେ ଅଦ୍ୟାବଧି ପୋଲିସ ହାତରେ ଧରାପଡି ଖପ୍ରାଖୋଲ ଥାନାରେ ୧୧ଟି କେସ ପଞ୍ଜିକୃତ ହୋଇ ଶତାଧିକ ଶ୍ରମିକ ଉଦ୍ଧାର ହୋଇ ସାରିଛନ୍ତି ।