
ନୂଆଦିଲ୍ଲୀ, ‘କାଶୀ ତାମିଲ ସଙ୍ଗମମ’ ବାସ୍ତବରେ ଭାରତର ବିବିଧତା ଏବଂ ବିଶେଷତାର ଉତ୍ସବ । ଏଥିପାଇଁ ଏହି କାର୍ଯ୍ୟକ୍ରମ ନିଜ ନିଜ ମଧ୍ୟରେ ବିଶେଷ ଏବଂ ଅଦ୍ୱିତୀୟ ବୋଲି ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ଆମର ଦେଶରେ ସଙ୍ଗମ ଗୁଡ଼ିକର ବଡ ମହିମା ଓ ବଡ଼ ମହତ୍ୱ ରହିଛି । ନଦୀ ଏବଂ ଧାରାର ମିଳନ କାରଣରୁ ବିଚାର-ବିଚାରଧାରା, ଜ୍ଞାନ-ବିଜ୍ଞାନ ଏବଂ ସମାଜ-ସଂସ୍କୃତିର ସବୁ ସଙ୍ଗମକୁ ଆମେ ପାଳନ କରିଛୁ । ଆଉ ଏକ ସମ୍ପୂର୍ଣ୍ଣ ଭାରତକୁ ନିଜ ମାଧ୍ୟମରେ ଏକାଠୀ କରିଥିବା ଆମର ସାଂସ୍କୃତିକ ରାଜଧାନୀ ହେଉଛି କାଶୀ । ସେହିପରି ଭାରତର ପ୍ରାଚୀନ ଏବଂ ଗୌରବର କେନ୍ଦ୍ର ହେଉଛି ତାମିଲନାଡୁ ଓ ତାମିଲ ସଂସ୍କୃତି । ଏହି ସଙ୍ଗମ ମଧ୍ୟ ଗଙ୍ଗା ଯମୁନା ଭଳି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁବଲ୍ଲୁଭରଙ୍କ ଦ୍ୱାରା ରଚିତ ପବିତ୍ର ଗ୍ରନ୍ଥ ‘ତିରୁକ୍କୁରଲର’ର ୧୩ଟି ଭାରତୀୟ ଭାଷାରେ ଅନୁବାଦ ଲୋକାର୍ପଣ କରିଥିଲେ ।