
କନ୍ଧମାଳ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁ ରାସ୍ତା କାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଜି. ଉଦୟଗିରି ବ୍ଳକର ରାଜ୍ୟ ରାଜପଥ ମାଲାନ ସୁଗା ଛକରୁ କୁରମିଙ୍ଗିଆକୁ ପ୍ରାୟ ୫.୮୯ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ ରାସ୍ତାରେ ଜୀବନକୁ ବାଜି ଲଗାଇ ଯା ଆସ କରୁଥିଲେ। ସାଇକେଲ କିମ୍ବା ମୋଟର ସାଇକଲରେ ଯିବା ଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲା।ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଭଲରେ ଆସିପାରୁନଥିଲା। ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ଥାୟୀ ରାସ୍ତା ପାଇଁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ଅର୍ଥ ଅନୁଦାନ ଅଭାବରୁ ରାସ୍ତା କାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁଦେଶ ରାଉତଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା, ଆନ୍ତରିକତା ଓ ଉଦ୍ୟମ ଯୋଗୁଁ ଦୁର୍ଗମ ଅଞ୍ଚଳ କୁରମିଙ୍ଗିଆକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଗମନାଗମନର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ କହିଛନ୍ତି । ଏହି ରାସ୍ତା ପାଇଁ ୩ କୋଟି ୨ ୮ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ବରାଦ ରହିଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ଶ୍ରୀ ରାଉତ କହିଛନ୍ତି । ଏଥି ସହ ଆସନ୍ତା ୫ ବର୍ଷ ଯାଏ ଏହାର ରକ୍ଷଣାବେକ୍ଷଣ କରିବେ ଠିକାଦାର ବୋଲି ଇଂ. ରାଉତ କହିଛନ୍ତି । ସେହିପରି ଅଭିଜ୍ଞ ତଥା ବରିଷ୍ଠ ଠିକାଦାର ଭାବେ ଜଣାଶୁଣା ସଂଗ୍ରାମ କେଶରୀ ପଟନାୟକ ଏହି ରାସ୍ତା କାର୍ଯ୍ୟ ଅତିଶିଘ୍ର ସାରିବା ଲାଗି ଉଦ୍ୟମ କରୁଥିବା କହିଛନ୍ତି । ଏହି ରାସ୍ତା ହେଲେ ପୀଡ଼ିକି ମାହା, ଗାମୁଲି, କୁରମିଙ୍ଗିଆ, ମାଲାନସୁଗା ଆଦି ଗ୍ରାମର ହଜାରେରୁ ଉର୍ଦ୍ଧ୍ବ ଲୋକେ ସ୍ଥାୟୀ ଗମନାଗମନର ସୁବିଧା ପାଇବେ ବୋଲି ଠିକାଦାର ଶ୍ରୀ ପଟ୍ଟନାୟକ କହିଛନ୍ତି।