
କନ୍ଧମାଳ, ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି। ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି, ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଠାରୁ ତାପମାତ୍ରା ଖସିବା ଆରମ୍ଭ ହୋଇଛି। ଆଜି ଫୁଲବାଣୀରେ ୧୦ ଡିଗ୍ରୀ ତଳକୁ ଖସି ୯.୬ ଥିବାବେଳେ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୧୦ ଡିଗ୍ରୀକୁ ଖସି ଆସିଛି। ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିର ଚାଦର ତଳେ ରହୁଛି ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ। ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏଁ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଆଗକୁ ଆହୁରି ତାପମାତ୍ରା ଖସିବାର ସମ୍ଭାବନା ରହିଛି। ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।
ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜି.ଉଦୟଗିରି ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ତେବେ ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ଆସ୍ତେ ଆସ୍ତେ ଭିଡ଼ ମଧ୍ୟ ଜମିଲାଣି।