
-
‘କାଶୀ ତାମିଲ ସଙ୍ଗମମ’ ଭାରତର ବିବିଧତା ଏବଂ ବିଶେଷତାର ଉତ୍ସବ- ପ୍ରଧାନମନ୍ତ୍ରୀ
-
“ଏକ ଭାରତ, ଶ୍ରେଷ୍ଠ ଭାରତ” ଭାବନାକୁ ଜୀବନ୍ତ ରୂପ ଦେବ – ଧର୍ମେନ୍ଦ୍ର ପ୍ରଧାନ
-
ସାଂସ୍କୃତିକ ସମ୍ପର୍କ, ଏକତା ଓ ଐତିହ୍ୟକୁ ସମୃଦ୍ଧ କରିବାରେ କାଶୀ ତାମିଲ ସଙ୍ଗମମ ନୂଆ ଅଧ୍ୟାୟ ଲେଖିବ
-
ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଆଧୁନିକ ନୂଆପିଢିଙ୍କୁ ପ୍ରସ୍ତୁତ କରିବାରେ ଏକ ପ୍ରତୀକ ହେବ
-
କାଶୀ ଏବଂ ତାମିଲନାଡୁକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କାଶୀ ତାମିଲ ସଙ୍ଗମମକୁ ଉଦଘାଟନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
-
ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ
-
ତାମିଲନାଡୁରୁ କାଶୀ ଗସ୍ତ କରିବେ ୨୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି
ଆମର ଦେଶରେ ସଙ୍ଗମ ଗୁଡ଼ିକର ବଡ ମହିମା ଓ ବଡ଼ ମହତ୍ୱ ରହିଛି । ନଦୀ ଏବଂ ଧାରାର ମିଳନ କାରଣରୁ ବିଚାର-ବିଚାରଧାରା, ଜ୍ଞାନ-ବିଜ୍ଞାନ ଏବଂ ସମାଜ-ସଂସ୍କୃତିର ସବୁ ସଙ୍ଗମକୁ ଆମେ ପାଳନ କରିଛୁ । ଆଉ ଏକ ସମ୍ପୂର୍ଣ୍ଣ ଭାରତକୁ ନିଜ ମାଧ୍ୟମରେ ଏକାଠୀ କରିଥିବା ଆମର ସାଂସ୍କୃତିକ ରାଜଧାନୀ ହେଉଛି କାଶୀ । ସେହିପରି ଭାରତର ପ୍ରାଚୀନ ଏବଂ ଗୌରବର କେନ୍ଦ୍ର ହେଉଛି ତାମିଲନାଡୁ ଓ ତାମିଲ ସଂସ୍କୃତି । ଏହି ସଙ୍ଗମ ମଧ୍ୟ ଗଙ୍ଗା ଯମୁନା ଭଳି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁବଲ୍ଲୁଭରଙ୍କ ଦ୍ୱାରା ରଚିତ ପବିତ୍ର ଗ୍ରନ୍ଥ ‘ତିରୁକ୍କୁରଲର’ର ୧୩ଟି ଭାରତୀୟ ଭାଷାରେ ଅନୁବାଦ ଲୋକାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କାଶୀ ତାଲିମ ସଙ୍ଗମମ୍ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଜୀବନ୍ତ ରୂପ ଦେବ । ଆମର ସାଂସ୍କୃତିକ ସମ୍ପର୍କ, ଆମର ଏକତା ଏବଂ ସମାନ ଐତିହ୍ୟକୁ ସମୃଦ୍ଧ କରିବାରେ କାଶୀ ତାମିଲ ସଙ୍ଗମମ ନୂଆ ଅଧ୍ୟାୟ ଲେଖିବ । ରାଷ୍ଟ୍ରୀୟ ଶିକ୍ଷା ନୀତିର ଦୃଷ୍ଟିକୋଣ ଅନୁସାରେ ଆଧୁନିକ ନୂଆପିଢିଙ୍କୁ ପ୍ରସ୍ତୁତ କରିବାରେ ଏହା ଏକ ପ୍ରତୀକ ହେବ । ଉତ୍ତର ଏବଂ ଦକ୍ଷିଣ ଭାରତୀୟଙ୍କ ବିଦ୍ୱାନ ଓ ଦର୍ଶନ ଦ୍ୱାରା ଏହି ମିଳନରୁ ଉତ୍ପନ ହେବାକୁ ଥିବା ଅମୃତ, ଜ୍ଞାନ, ଅନୁସନ୍ଧାନ ଏବଂ ରାଷ୍ଟ୍ରୀୟ ଏକତାର ବଟ୍ଟବୃକ୍ଷ ହେବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ତିରୁକ୍କୁରଲର ତାମିଲ ସହ ଭାରତୀୟ ଭାଷାର ସମ୍ବର୍ଦ୍ଧନ ଏବଂ ଲୋକକଲ୍ୟାଣକାରୀ ଜ୍ଞାନ ପ୍ରଦାନ ଦିଗରେ ଏକ ବଡ଼ ପଦକ୍ଷେପ । କାଶୀରେ ବାବା ବିଶ୍ୱନାଥ ଏବଂ ତାମିଲନାଡୁରେ ଭଗବାନ ରାମେଶ୍ୱରମଙ୍କ ଆଶୀର୍ବାଦ ରହିଛି । କାଶୀ ଓ ତାମିଲନାଡୁ ଉଭୟ ଶିବମୟ ଓ ଶକ୍ତିମୟ । ଆସ୍ଥା, ଆଧ୍ୟାତ୍ମିକତା, ଜ୍ଞାନ, ଭାଷା, ସାହିତ୍ୟ, ସଂସ୍କୃତି ଏବଂ କଳାର ଦୁଇ ପୌରାଣିକ ଏବଂ ଜୀବନ୍ତ କେନ୍ଦ୍ର କାଶୀ ଏବଂ ତାମିଲନାଡୁକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ କାଶୀ ତାମିଲ ସଙ୍ଗମମ୍ ଭଳି ଭବ୍ୟ କାର୍ଯ୍ୟକ୍ରମର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜର ସହଭାଗୀତାରେ ସଙ୍ଗମମକୁ ଐତିହାସିକ କରିବା ପାଇଁ ସମସ୍ତ ପୂଜ୍ୟ ଗୁରୁ, ତାମିଲନାଡୁରୁ ଆସିଥିବା ଅତିଥି, ବିଦ୍ୟାର୍ଥୀ ଏବଂ କାଶୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
କାଶୀ ତାମିଲ ସଙ୍ଗମମର ଆୟୋଜନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟ ଯଥା ସଂସ୍କୃତି, ରେଳ, ପର୍ଯ୍ୟଟନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶର ସରକାରଙ୍କ ସହଯୋଗରେ ଆୟୋଜନ କରାଯାଇଛି । ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମ ଅଧୀନରେ ତାମିଲନାଡୁର ୨୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି କାଶୀ ଗସ୍ତ କରିବେ । କାଶୀ ଏବଂ ତାଲିମନାଡୁ ଭଳି ଦୁଇ ମହତ୍ୱପୂର୍ଣ୍ଣ ଓ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ସମ୍ପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଜ୍ଞାନ ପ୍ରଣାଳୀର ମୂଲ୍ୟବାନ ସାମଗ୍ରୀକୁ ଜ୍ଞାନର ଆଧୁନିକ ପ୍ରଣାଳୀ ସହ ଏକାଠୀ କରିବାରେ ବିଶେଷ ଯୋର୍ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ ।