-
ନିର୍ବାଚନମଣ୍ଡଳୀର ସମସ୍ତ ‘କାର୍ଯ୍ୟରତ କିମ୍ବା ବାସିନ୍ଦା’ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ବାଦ୍ ଦିଆଯାଉ: ବିଜେପି
-
ବୁଥ୍ ଭିତରେ ମୋବାଇଲ ଫୋନ ବ୍ୟବହାର ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଉ
-
ଶାସକ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ସରକାରୀ କଳ, ବଳକୁ ନିଜ ଆୟତରେ ରଖି କଳେବଳେ ଭୋଟ ହାତେଇବାର ସମସ୍ତ ସୀମା ଉଲଘଂନ କରୁଛନ୍ତି
ଭୁବନେଶ୍ୱର, ନିର୍ବାଚନମଣ୍ଡଳୀରେ ଥିବା କୈାଣସି ସରକାରୀ ଅଧିକାରୀ କିିମ୍ବା ସରକାରୀ ଚାକିରୀ କରୁଥିବା ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱ ଦେବା ପାଇଁ ବାରଣ କରାଯାଇଛି । ତେଣୁ ଆଗାମୀ ପଦ୍ମପୁର ଉପନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀର ସମସ୍ତ “କାର୍ଯ୍ୟରତ କିମ୍ବା ବାସିନ୍ଦା” ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ବାଦ୍ ଦିଆଯାଉ । ସେହିପରି ମତଦାନ ସମୟରେ ମୋବାଇଲ ଫୋନ ବ୍ୟବହାର ଉପରେ ସଂପୂର୍ଣ୍ଣ ରୋକ ଲଗାଯାଉ । ଏଥି ସହ ଆଗାମୀ ପଦ୍ମପୁର ଉପ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ବର୍ତମାନରୁ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ଆଜି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛନ୍ତି ।
ସରକାରୀ କର୍ମକର୍ତାମାନଙ୍କୁ ଶାସକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାବେ ବ୍ୟବହାର କରି ବିଜେଡି ସପକ୍ଷରେ ଭୋଟ ଦେବାକୁ ଜନସାଧାରଣଙ୍କୁ ପ୍ରବର୍ତାଇବା ଗଣତନ୍ତ୍ର ପାଇଁ ଆଦୈା ଶୁଭଙ୍କର ନୁହେଁ । ଏହି କାରଣରୁ ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ବାରମ୍ବାର ପ୍ରଶ୍ନ ଉଠୁଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ କୁଚକ୍ରାନ୍ତ ଓ ହୀନ ରାଜନୀତି କରି ମତଦାତାଙ୍କୁ ଭ୍ରମିତ କରୁଛନ୍ତି । ଉପନିର୍ବାଚନ ହାରିବା ଭୟରେ ବିଜେଡି ବ୍ୟସ୍ତ ହୋଇ ପ୍ରଶାସନ କଳ, ବଳ ବ୍ୟବହାର କରିବା ଆରମ୍ଭ କରିଦେଇଛି । ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କ ସହାୟତାରେ ପଂଚାୟତରାଜ, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଶାସକ ବିଜୁ ଜନତା ଦଳ ସପକ୍ଷରେ ଭୋଟ କରାଇବା କାର୍ଯ୍ୟ କରୁଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ହସ୍ତକ୍ଷେପ କରି ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧିଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ ଏବଂ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)