ଗଞ୍ଜାମ,ସାଧାରଣ ଜନଜୀବନକୁ ପ୍ରଭାବିତ କରୁଥିବା ସମସ୍ୟାର ନିରାକରଣ ପାଇଁ ରାଜ୍ୟର ୧୧ଟି ରାଜନୈତିକ ଦଳ ପକ୍ଷରୁ ମିଳିତ ମଂଚ ଗଠନ କରାଯାଇଛି । ୩୪ ଦଫାର ବିକଳ୍ପ ଘୋଷଣା ପତ୍ର ପ୍ରସ୍ତୁତ କରାଯାଇ ଏହି ମଂଚ ସମଗ୍ର ଓଡ଼ିଶାରେ ଅଭିଯାନ କରିବ ବୋଲି ସୂଚନା ମିଳିଛି । ବ୍ରହ୍ମପୁର ସହରରୁ ଏହି ବିକଳ୍ପ ଅଭିଯାନର ଶୁଭାରମ୍ଭ କରିବାକୁ ୧୧ଟି ରାଜନୈତିକ ଦଳର ରାଜ୍ୟ ନେତୃତ୍ଵ ନିଷ୍ପତି ନେଇଛି । ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିନେଇ ସିପିଏମ, ସିପିଆଇ, ଫରୱାର୍ଡ଼ ବ୍ଲକ ର ଜିଲ୍ଲା ନେତୃତ୍ଵଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ମିଳନୀକୁ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଛି ।
ଏହି ସମ୍ମିଳନୀରେ ସମତା କ୍ରାନ୍ତି ଦଳର ସଭାପତି ବ୍ରଜକିଶୋର ତ୍ରିପାଠୀ, ସିପିଏମର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁଙ୍କ ସମେତ ବହୁ ରାଜ୍ୟ ସ୍ତରିୟ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସିପିଆଇର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିଏମର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଓ ଫରୱାର୍ଡ଼ ବ୍ଲକ ର ଜିଲ୍ଲା ନେତା ସମରଜିତ୍ ମହାନ୍ତି ଏକ ମିଳିତ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।