ଭୁବନେଶ୍ୱର,ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପି ଆଜି ଯେଉଁ ଘୋଷଣା କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତେ ସେମାନେ ପାର୍ଲାମେଂଟ ସମ୍ମୁଖରେ ଧାରଣା ଦେବା ଉଚିତ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ସବୁଠାରୁ ଭଲ ହେବ ଯଦି ବିଜେପି ପାର୍ଲାମେଂଟ ସମ୍ମୁଖରେ ଏହି ଧାରଣା ଦେବା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ । ପାର୍ଲାମେଂଟ ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ବିଜେପି ଦାବି କରିଥିଲା ଯେ ସେମାନେ କୃଷକଙ୍କ ଏମଏସପିକୁ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି କରିବେ । ସେମାନେ ତାହା କଲେ ନାହିଁ । ସେହିଭଳି ଏହା ସେହି ସମାନ ବିଜେପି ଥିଲା ଯେଉଁମାନେ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ । ସେମାନେ ତାହା କଲେ କି? ନାଁ କଲେ ନାହିଁ ।
ବିଜେପି କାହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି? ସାର ଅଭାବ ଠାରୁ ଆରମ୍ଭ କରି ଓଡିଶା ଚାଷୀଙ୍କର ଫସଲ ବୀମାକୁ ଅଟକାଇବା ପର୍ଯ୍ୟନ୍ତ ବିଜେପି ଚାଷୀ ବିରୋଧୀ କାର୍ଯ୍ୟକଳାପରେ ପାରଦର୍ଶୀତା ହାସଲ କରିଛି । ଓଡିଶାର କୃଷକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବକୁ ଦେଖୁଛନ୍ତି । ବିଜେପି ଆଉ କୌଣସି ପ୍ରକାରେ ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।