ଓଡ଼ିଆ ପଞ୍ଜିକା ଅନୁସାରେ, ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମ ମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହାର ଅନ୍ୟ ନାମ ପଢୁଆଁ ଅଷ୍ଟମୀ । ଏହିଦିନ ସମଗ୍ର ଓଡ଼ିଶାର ପ୍ରତ୍ୟେକ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରାଯିବାର ପରମ୍ପରା ରହିଛି । ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ସ୍ଵତନ୍ତ୍ର ପୂଜାବିଧ ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଂଚପଲ୍ଲବ ଓ ପଂଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ଅନୁଷ୍ଠିତ ହୋଇଥାଏ । ଓଡ଼ିଆ ଘରର ପରମ୍ପରା ଅନୁଯାୟୀ, ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି ଓ ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ ଓ ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ଵ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ, ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଏହି ଅବସରରେ ପଚଂ ପଲ୍ଲବ ଓ ପଚଂ ଶସ୍ୟରେ ବରୁଣପୂଜା କରାଯାଇଥାଏ । ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ରଜପର୍ବରେ ଯେପରି ପୋଡ଼ପିଠା, ଅନନ୍ତ ବ୍ରତରେ ଲଡୁ କାକରା, ବଡ଼ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତୋଉପିଠା, ମକର ସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତରେ ଧନୁମୁଆଁ, ମହାବିଷୁବ ସଂକ୍ରାନ୍ତିରେ ଛତୁ ଓ ପଣା, ଶାମ୍ବ ଦଶମୀରେ ବୁଢ଼ାଚକୁଳି ପ୍ରଭୃତି ଓଡ଼ିଆ ଘରର ଗୋଟିଏ ଗୋଟିଏ ବିଶେଷତ୍ଵ, ସେହିପରି ପ୍ରଥମାଷ୍ଟମୀର ବିଶେଷତ୍ଵ ହେଉଛି ଏଣ୍ଡୁରୀ ପିଠା, ଛେନା, ଗୁଡ଼ ଓ ନଡ଼ିଆରେ ପ୍ରସ୍ତୁତ ପୁର ଦିଆଯାଇ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରୀ ପିଠା ତିଆରି କରାଯାଏ । ଏହି ସୁସ୍ଵାଦୁ ପିଠାପାଇଁ ହଳଦୀପତ୍ର ବ୍ୟବହାର କରାଯାଏ । ଏଥିପାଇଁ ଏହି ପିଠା ଅତ୍ୟନ୍ତ ସୁସ୍ଵାଦୁ ହେବା ସହ ରୁଚିକର ଓ ସୁବାସିତ ହୋଇଥାଏ । ପ୍ରଥମାଷ୍ଟମୀ ପର୍ବଟି ରଜ ଓ କୁମାରପୂର୍ଣ୍ଣିମା ପରି ଓଡ଼ିଶାର ନିଜସ୍ଵ ପର୍ବ । ଓଡ଼ିଶା ବ୍ୟତୀତ କିମ୍ବା ଓଡ଼ିଆ ଘରକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ଏହି ପର୍ବ ଏଭଳି ଭାବରେ ପାଳିତ ହେବା ଦେଖାଯାଏ ନାହିଁ । ଓଡ଼ିଶାର ଏହା ଏକ ସ୍ଵତନ୍ତ୍ର ସାମାଜିକ ଓ ପରମ୍ପରା ପ୍ରଚଳିତ ପାରିବାରିକ ପର୍ବ । କେବଳ ଓଡ଼ିଶାର ଘରେ ଘରେ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର । ତାଙ୍କଠାରୁ ବଡ଼ କେହି ନାହିଁ । ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, ‘ତ୍ଵମାଦିଦେବଃ ପୁରୁଷ ପୁରାଣସ୍ତ୍ୱମସ୍ୟ ବିଶ୍ଵସ୍ୟ ପରଂ ନିଧାନମ’ ।