ଭୁବନେଶ୍ୱର, ନିର୍ବାଚନ ଆସିଲେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଚାଷୀଙ୍କ କଥା ମନେପଡ଼େ । ଏବେ ସୁଦ୍ଧା ସରକାରଙ୍କ ଏଜେଣ୍ଡାରେ ଚାଷୀଙ୍କ ପ୍ରସଙ୍ଗ ନାହିଁ । ଫସଲ ବୀମା ଓ କୃଷି ଇନପୁଟ୍ ସହାୟତାକୁ ନେଇ ବିଜେଡ଼ି, ବିଜେପି ଦଳ କେବଳ ନାଟକବାଜୀ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଯଦି ସରକାରଙ୍କ ଚାଷୀଙ୍କ ପ୍ରତି ଦରଦ ଥାନ୍ତା ତେବେ ୨୦୨୧ଖରିଫର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ଫସଲବୀମା ଓ କୃଷି ଇନପୁଟ୍ ସହାୟତା ଦିଆଗଲା ନାହିଁ କାହିଁକି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଉଭୟ ଦଳ ଓ ସରକାରଙ୍କୁ କଂଗ୍ରେସ ପ୍ରଶ୍ନକରିଛି । ଗତ ଖରିଫରେ ରାଜ୍ୟର ୬୪ ବ୍ଳକ ଓ ୧୫ଟି ପୌରାଂଚଳରେ ପ୍ରାୟ ୨ ଲକ୍ଷ୬୪ ହଜାର ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହେଲା । ମୁଖ୍ୟମନ୍ତ୍ରୀ ନବୀନବାବୁ ଘୋଷଣା କରିଥିଲେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତତ୍କ୍ଷଣାତ୍ କୃଷି ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯିବ । ୨୦୨୧ ଅକ୍ଟୋବର-୧୧ ତାରିଖ ଦିନ ଏସ.ଆର.ସି ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଥିଲେ । ଅଦ୍ୟାବଧି ମଧ୍ୟ କ୍ଷୟ କ୍ଷତିର ସଠିକ୍ ରିପୋର୍ଟ ଆସିଲା ନାହିଁ । ଗତ କାଲି ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପ-ନିର୍ବାଚନକୁ ଆଖିଆଗରେ ରଖି ଚାଷୀଙ୍କ ମନ ଭୁଲାଇବା ପାଇଁ ଯେଉଁ କୃଷି ଇନପୁଟ୍ ସହାୟତା ଘୋଷଣା କରିଛନ୍ତି ଏହା କେବଳ ପ୍ରଚାର ସର୍ବସ୍ୱ ଓ ଧୂଆଁବାଣ । କଂଗ୍ରେସ ଦଳ ତରଫରୁ ବାରମ୍ବାର ପ୍ରଚଳିତ କୃଷି ଇନପୁଟ୍ ସହାୟତା ରାଶିର ତିନିଗୁଣା ବୃଦ୍ଧିକରି ଚାଷୀଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ଦାବୀ କରାଯାଇ ଆସୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।
ସେହିପରି ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ତୁରନ୍ତ ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଂଚଳର ଫସଲବୀମା କରିଥିବା ଚାଷୀମାନଙ୍କୁ ବୀମାଟଙ୍କା ପ୍ରଦାନ କରାଯାଉ । ଏଥିରୁ ସ୍ପଷ୍ଟ ପ୍ରମାଣିତ ନିର୍ବାଚନ ବୈତରଣୀ ପାର ପାଇଁ ବିଜେପି ଦଳର ଏହା ଏକ ଫଣ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରବାବୁଙ୍କ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ।
ବରଗଡ଼ ଜିଲ୍ଲାର ପଦ୍ମପୁର ସବଡିଭିଜନ୍ ଏକ ଶୁଖା ଅଂଚଳ । ଏହି ଅଞ୍ଚଳରେ ୮୨ ପ୍ରତିଶତ ହେଲେ ଚାଷୀ । ସେମାନଙ୍କର ଜୀବନ ଜୀବିକା ହେଲା ଚାଷ । କିନ୍ତୁ ଏଠାର ବିଲ ମୁଣ୍ଡକୁ ପାଣି ଯୋଗାଇ ଦିଆ ଗଲାନାହିଁ । ମୁଖ୍ୟମନ୍ତ୍ରୀ ୧୧ ବର୍ଷ ତଳେ ଓଡ଼ିଶାର ସମସ୍ତ ବ୍ଳକସ୍ତରରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ । ପଦ୍ମପୁର ସବଡିଭିଜନର ତିନୋଟି ବ୍ଳକରେ ଆଜି ସୁଦ୍ଧା ୯ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯାଇ ନାହିଁ । ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଷୀ ୨୦ ହଜାର ଟଙ୍କା ଓ.ଏଲ.ଆଇ.ସି ପାଖରେ ଜମା କରି ଦୀର୍ଘ ବର୍ଷ ଅପେକ୍ଷା କରିଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରି କରାଗଲା ନାହିଁ କିମ୍ବା ଏଠାକୁ ବିଦ୍ୟୁତ ସଂଯୋଗ କରାଗଲା ନାହିଁ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇ ଉଭୟଦଳର ଭୋଟ ହାତେଇବା ପାଇଁ ଯୋରଦାର ଲଢ଼େଇରେ ବ୍ୟସ୍ତ କିନ୍ତୁ ଚାଷୀ ସେମାନଙ୍କ ହକ୍ ପାଇଁ ଆଜି ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ କରିଚାଲିଛନ୍ତି ଏହା ବାସ୍ତବରେ କଂଗ୍ରେସ ଦଳର ସ୍ୱପ୍ନକୁ ସାକାର କରିବ ।