ଘସିପୁରା, କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଢେଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ବାଇଁ ( ୪୪ ) ଙ୍କୁ ଭଡା ଘର ଭିତରେ ପଶି ମାରଣାସ୍ତ୍ରରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଖବରରୁ ଜଣାଯାଇଛି, ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କ ଘର ଇଞ୍ଚୋଳ ଗ୍ରାମରେ । ସେ ମରିଗାଁ ଛକର ଏକ ଭଡା ଘରେ ରହି ଦୈନିକ ଢେଙ୍କା ହାଇସ୍କୁଲକୁ ଯାଉଥିଲେ । ସୋମବାର ଶିଶୁ ଦିବସ ଉପଲକ୍ଷେ କିଛି ଜଳଖୁଆ ପୁଡିଆ ନେଇ ବିଦ୍ୟାଳୟକୁ ଯିବା କଥା । ଦିନ ୧୧ଟା ସମୟରେ ବିଦ୍ୟାଳୟର ଶିକ୍ଷକମାନେ ଫୋନ କରିଥିଲେ ମଧ୍ୟ ମୋବାଇଲ ବନ୍ଦ ରହିଥିଲା । ଏହାକୁ ନେଇ ବିଦ୍ୟାଳୟର ଶିକ୍ଷକ ମାନେ ବିଭିନ୍ନ ବିଦ୍ୟାଳୟକୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୂଚନା ମିଳିନଥିଲା । ଏହାକୁ ନେଇ ତାଙ୍କର ସାନ ଭାଇ ଖବର ପାଇବାରୁ ରହୁଥିବା ଭଡାଘରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ । ତାଛଡା ତଳେ ରହୁଥିବା ଘର ଲୋକ ତାଲା ଝୁଲୁଥିବା ସହ ବାହାର ଲାଇଟ୍ ଜଳୁଥିବା ଦେଖିଥିଲେ । ଲାଇଟ୍ ବନ୍ଦ କରାଯାଇଥିଲେ ମଧ୍ୟ କିଛି ସୂଚନା ପାଇନଥିବାରୁ ଏକ ସିଡି ପକାଇ ଝରକା ପଟେ ଦେଖିବାରୁ ରକ୍ତାକ୍ତ ହୋଇ ସେ ବିଛଣାରେ ପଡ଼ି ରହିଥିବା ଦେଖିଥିଲେ । ଏହାପରେ ନନ୍ଦିପଦା ଥାନାକୁ ଖବର କରାଯାଇଥିଲା । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଅଧିକାରୀ ତାଲା ଝୁଲୁଥିବା ଦେଖିବାରୁ ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଆସିବା ପରେ ତାଲାକୁ ଭଙ୍ଗାଯାଇଥିଲା । ମୃତ ଶିକ୍ଷକ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଚଟାଣରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଶିକ୍ଷକଙ୍କୁ ଭଡାଘରେ ପଶି କେହି ମାରଣାସ୍ତ୍ରରେ ଆକ୍ରମଣ କରି ମାରିଦେଇ ବାହାର ପଟୁ ତାଲା ପକାଇ ଦେଇଥିବା ପୁଲିସ ଅନୁମାନ କରୁଛି । କିନ୍ତୁ, ସେହି ଦୁଇ ମହଲା ଘରେ ତଳେ ରହୁଥିବା ଭଡାର ଜଣେ ବ୍ୟକ୍ତି କୁହନ୍ତି, ରବିବାର ରାତିରେ ସେହି ଘରେ ପାଟିତୁଣ୍ଡ ଲାଗିବା ସହିତ ଛାତଟି ଦୁଲଦୁଲ ଶୁଭିବାରୁ ସେ ପଦାକୁ ବାହାରି କ’ଣ ହୋଇଛି ପଚାରିବାରୁ ମୃତ ଅନିରୁଦ୍ଧ ଘରେ ସାପ ପଶିଯାଇଥିବା କହି କବାଟ ଦେଇଥିଲେ । ଆଜି ଭୋର ସକାଳୁ ଅନ୍ଧାର ସମୟରେ ଶିକ୍ଷକ ଅନିରୁଦ୍ଧ ଭଳି ହେଲମେଟ ଓ ଜ୍ୟାକେଟ ପିନ୍ଧି କେହିଜଣେ ପଳେଇଯାଇଥିବା ବେଳେ ଅନ୍ୟଜଣେ କିଛି ସମୟ ପରେ ସେଠାରେ ଥିବା ଏକ ଲାଲ ରଙ୍ଗର ସ୍କୁଟିକୁ ଧରି ପଳାଇଥିବା କହିଥିଲେ । ତାଛଡା ରାତିରେ ଏକ ମହିଳାଙ୍କର କାଚ ଶବ୍ଦ ହୋଇଥିବା କହିଥିଲେ । ଅନ୍ୟଜଣେ ରବିବାର ସନ୍ଧ୍ୟାରେ ଘରର ତଳ ଉପର ହେଉଥିବା କହିଥିଲେ ।
ସୂଚନାଯୋଗ୍ୟ , ତାଙ୍କର ସ୍ତ୍ରୀ ଚାକିରୀ କରୁଥିବାରୁ ସେ ତାଙ୍କ ପାଖରେ ରହୁନଥିଲେ ଏବଂ ତାଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଥିବା କୁହାଯାଉଛି । ଜନୈକ ଏକ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ଥିବାବେଳେ ସେ ବହୁ ସମୟରେ ତାଙ୍କ ଭଡାଘରକୁ ଆସିଥାନ୍ତି । ତାଙ୍କ ଠାରୁ ବହୁ ସମୟରେ ଆର୍ଥିକ ସାହାଯ୍ୟ ନେବା ସହିତ ବହୁ ଟଙ୍କା ଧାର ସୂତ୍ରରେ ନେଇଥିବା ଆଲୋଚନା ହେଉଛି । ଏଭଳି ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରେମ ବେପାର କିମ୍ବା ଟଙ୍କା ଧାର ନେଇଥିବା ଲୋକ ଏଭଳି କାଣ୍ଡ ଘଟାଇଥିବା ଛକ ବଜାରରେ ଆଲୋଚିତ ହେଉଛି । ଏନେଇ ଅନିରୁଦ୍ଧଙ୍କ ସାନ ଭାଇ କେହି ହତ୍ୟା କରିଥିବା ନନ୍ଦିପଦା ଥାନାରେ ଲିଖିତ ଭାବେ ଆଭିଯୋଗ କାରିଛନ୍ତି।