ସୁବର୍ଣ୍ଣପୁର, ଚଳିତ ଖରିଫ ଧାନକ୍ରୟ ୨୦୨୨-୨୩ କୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି। ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱଣେ ପରାମର୍ଶ ଦେଇଛନ୍ତି।
ଗତ ୭ ତାରିଖରେ ଏ ସମ୍ପର୍କିତ ଏକ ବୈଠକରେ ଜିଲ୍ଲାପାଳ ପ୍ରତ୍ୟେକ ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ସଭ୍ୟ / ସଭ୍ୟା ମାନଙ୍କୁ ଧାନର ମାନ, ସହାୟକ ମୂଲ୍ୟ ଓ କମିଟିର ଦାୟିତ୍ଵ ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାକୁ ପ୍ରତ୍ୟେକ ବ୍ଲକ ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଖରିଫ ଧାନ କ୍ରୟ ୨୦୨୨-୨୩ ଆରମ୍ଭ ହେବା ପୂର୍ବରୁ ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ରାଇସ ମିଲ ଚାଉଳ ଦେୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେବା ସହ ମିଲ ଗୁଡିକୁ ପରିଦର୍ଶନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସଂପ୍ରତି ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକର ବୈଠକ ଆହୁତ ହୋଇ ସଭ୍ୟ / ସଭ୍ୟା ମାନଙ୍କୁ ଏହାର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଯାଉଛି। ଏହି କ୍ରମରେ ଜିଲ୍ଲାପାଳ ନିଜେ ହିଲୁଙ୍ଗ ଓ ଉଫୁଲା ସୋସାଇଟି ପରିଦର୍ଶନ କରି ଏ ବିଷୟରେ ଆଲୋଚନା କରିଥିଲେ। ଖରିଫ ଧାନ କ୍ରୟ ୨୦୨୨-୨୩ ବର୍ଷରେ ଭାଗ ନେବା ପାଇଁ ପ୍ରତ୍ୟେକ ମିଲର ୩୦ ତାରିଖ ସୁଦ୍ଧା ପୂର୍ବ ବର୍ଷ ର ସମସ୍ତ ଚାଉଳ ପ୍ରଦାନ କରିବା ବିଧେୟ ଅଟେ। ଏଣୁ ଏ ସମ୍ବନ୍ଧରେ ତତ୍ପର ହେବା ପାଇଁ ଜିଲ୍ଲାପାଳ ସମସ୍ତ ସରକାରୀ ଅଧିକାରୀ, ମିଲର ଓ ଉଚ୍ଚ ସ୍ତରୀୟ ଜିଲ୍ଲା ଅଧିକାରୀ ମାନଙ୍କୁ କଡା ନିର୍ଦ୍ଧେଶ ଦେଇଛନ୍ତି।