କଟକ/ବାରିପଦା,ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଭୁବନେଶ୍ଵର ଆଇଗଣିଆ ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ବର୍ତମାନ ସୁଦ୍ଧା ଏହି ଚଢ଼ଉ ଜାରୀ ରହିଛି । ଚଢ଼ଉ ବେଳେ ଭୁବନେଶ୍ଵରସ୍ଥିତ ଏକ ତିନିମହଲା କୋଠା(୪୮୬୫ ବର୍ଗଫୁଟ) ଓ ଏକ ଫ୍ଲାଟ, ଭୁବନେଶ୍ଵର ଓ କଟକରେ ଥିବା ତାଙ୍କର ୧୨ଟି ପ୍ଲଟ, ପତ୍ନୀ ନଳିନୀ ପଣ୍ଡାଙ୍କ ନାମରେ ଥିବା ଭୁବନେଶ୍ଵର ଖଣ୍ଡଗିରି ମାର୍କେଟ କମ୍ପେ୍ଲକ୍ସରେ ଡି/୨ ଏବଂ ଡି/୩ ଦୁଇଟି ଦୋକାନ ଘର, ୧.୨ କୋଟିରୁ ଅଧିକ ଜମା ଟଙ୍କା, ୨୮.୯ ଲକ୍ଷ ନଗଦ ଟଙ୍କା, ସୁନା ୧ କେଜି, ୪ଟି ଚାରିଚକିଆ ଯାନ(୪୫ ଲକ୍ଷ), ୩ଟି ଦୁଇ ଚକିଆ ଯାନ(୨.୬୭ ଲକ୍ଷ), ୨୫ଟି ଦାମୀ ଘଂଟା ଇତ୍ୟାଦି ବିଭିନ୍ନସ୍ଥାନରେ ଖାନତଲାସି ବେଳେ ମିଳିଛି ।
ଭୁବନେଶ୍ଵର ଭିଜିଲାନ୍ସର ସ୍ଵତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଂଟର ଆଦେଶ ବଳରେ ଏହି ଚଢ଼ଉ କରାଯାଇଛି । ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ୍ ଅଛନ୍ତି ।