
ଭୁବନେଶ୍ୱର, ରାଜ୍ୟର ମରୁଡ଼ି ପ୍ରଭାବିତ ଅଂଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କରାଯିବ । ମଙ୍ଗଳବାର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ ।
ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ଏବଂ ୧୫ଟି ପୌରାଂଚଳରେ ଥିବା ପ୍ରାୟ ୨,୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି । ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଂଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି । ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।
ଏହି ପରିପ୍ରେକ୍ଷୀରେ ପରିସ୍ଥିତିର ଗମ୍ଭୀରତା ଏବଂ ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଂଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ।
ପୀଡ଼ିତ ଚାଷୀଙ୍କୁ ତତ୍କାଳ ସହାୟତା ରାଶି ପ୍ରଦାନ ଲାଗି ଏହିସବୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ସହାୟତା ରାଶି ସଂର୍ପକରେ ଏସ୍ଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୀଡ଼ିତ ଚାଷୀଙ୍କ କଷ୍ଟ ଦୂର କରିବାକୁ ଏବେ ୨୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ଆକଳନ କରାଯାଉଛି ।