
କଟକ/ଭୁବନେଶ୍ୱର, କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି । ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ବିଷୟବସ୍ତୁକୁ ନେଇ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ପ୍ରଦର୍ଶନୀରେ ସାଧାରଣ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଆୟୋଜନ କରାଯାଉଛି । ପ୍ରଦର୍ଶନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ଥାନ ଦିଆଯାଇଛି । ସିବିସି ଷ୍ଟଲରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଦେଖିବାକୁ ସନ୍ଧ୍ୟାରେ ବହୁସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି । ଦର୍ଶକମାନେ ଆଗ୍ରହର ସହିତ ପ୍ରଶ୍ନୋତର ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଉଛି । ବର୍ତମାନ ସୁଦ୍ଧା ୪୫ରୁ ଅଧିକ ବ୍ୟକ୍ତି ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ପାଇସାରିଛନ୍ତି ।