-
ଚାଷୀ ଆନ୍ଦୋଳନ ଏବଂ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ-ଧର୍ମେନ୍ଦ୍ର ପ୍ରଧାନ
-
ଧାରଣାରତ ‘କୃଷକ ସଂଗଠନ’ ଏବଂ ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
-
ପ୍ରତ୍ୟକ୍ଷ ଭାବରେ ଆନ୍ଦୋଳନସ୍ଥଳକୁ ଯାଇ ଚାଷୀ ସଂଗଠନ ଓ ଜିଲ୍ଲା ଆନ୍ଦୋଳନ କରୁଥିବା ଲୋକଙ୍କୁ ଭେଟିଲେ
-
ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଜନସଭାରେ ଯୋଗଦେଲେ
-
ପ୍ରଧାନମନ୍ତ୍ରୀ ୨୦୧୬ ମସିହାରେ ବ୍ଲକରୁ ପଞ୍ଚାୟତ ଇନସ୍ୟୁରାନ୍ସ ୟୁନିଟ୍ କରିବାର ଐତିହାସିକ ନିଷ୍ପତି ବରଗଡ଼ ମାଟିରୁ ନେଇଥିଲେ
-
ପଦ୍ମପୁରରେ ପାଣି, ଜଳସେଚନ, ଚାଷୀ ବୀମା, ଧାନ କିଣା ଓ ଦାଦନ ସମସ୍ୟା ସମାଧାନ ନ ହେବା ଦୁର୍ଭାଗ୍ୟଜନକ
-
ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଏବଂ ଦାୟିତ୍ୱହୀନତା ପାଇଁ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି
-
୬ଟି ଇନସ୍ୟୁରାନ୍ସ କମ୍ପାନୀ ଥିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଏଚଏଡିଏଫଏସି ଭଳି ପ୍ରାଇଭେଟ୍ କମ୍ପାନୀକୁ ନେଲେ
-
ଗତ ୩ ତାରିଖରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ବୀମା ରାଶି ପଠାଇବା ପାଇଁ ଚିଠି ଲେଖିଥିଲେ ମଧ୍ୟ ୧୧ ଦିନ ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିନାହିଁ ?
-
ଏହି ରାଜବୋଡାସମ୍ବରର ମାଟି ହେଉଛି ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହଙ୍କ ଭଳି ଅନେକ ମହାପୁରୁଷଙ୍କ ମାଟି
-
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଘର ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ନଗଣ୍ୟ କାହିଁକି ?
-
ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ
-
ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ‘ସ୍ମୃତିସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ
-
ପଦ୍ମପୁର ଠାରେ ମା’ ବନ ଦୁର୍ଗାଙ୍କ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଜନସଭା ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ ଦଳ ବିଜେପି ଏବଂ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀ ମାନଙ୍କ ସହ ଅଛନ୍ତି । ଚାଷୀ ମାନଙ୍କର ଭରସା ମଧ୍ୟ ଆମ ଦଳ ଉପରେ ଅଛି । ଚାଷୀଙ୍କ ସମସ୍ୟା ସହ ଜଡ଼ିତ ସବୁ ପ୍ରସଙ୍ଗ ଉପରେ ଦଳ ଅବଗତ ଅଛି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲକରୁ ପଞ୍ଚାୟତ ଇନସ୍ୟୁରାନ୍ସ ୟୁନିଟ୍ କରିବାର ଐତିହାସିକ ନିଷ୍ପତି ଏହି ବରଗଡ଼ ମାଟିରୁ ନେଇଥିଲେ । ଆମ ଦଳ ଚାଷୀଙ୍କ ସହ ରହିଛି ଏବଂ ରହିବ । କୃଷିର ବିକାଶ ପାଇଁ ବରଗଡ ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ସ୍ଥାପନା କରାଯାଇଛି । ଚାଷୀ ଭାଇ ଏବଂ ଜିଲ୍ଲାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।
ଅପରପକ୍ଷରେ ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ପୂରଣ କରିଥିବା ବେଳେ ଦୀର୍ଘ ୨୨ ବର୍ଷରୁ ଅଧିକ ଶାସନରେ ରହିବା ପରେ ମଧ୍ୟ ପଦ୍ମପୁରରେ ପାଣି, ଜଳସେଚନ, ଚାଷୀ ବୀମା, ଧାନ କିଣା ଓ ଦାଦନ ସମସ୍ୟାର ସମାଧାନ ନ ହେବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଏବଂ ଦାୟିତ୍ୱରେ ବିଳମ୍ବ କାରଣରୁ ଆଜି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ରିୟାନ୍ୱୟନ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ରାଜ୍ୟ ସରକାର ଏଥିପାଇଁ ଏଜେନ୍ସି ନିଯୁକ୍ତି କରନ୍ତି । ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ, ଓରିଏନଟାଲ ଇନସ୍ୟୁରାନ୍ସ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଜେନେରାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ, ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଭଳି ୬ଟି କମ୍ପାନୀ ଥିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଏଚଏଡିଏଫସି ଭଳି ପ୍ରାଇଭେଟ୍ କମ୍ପାନୀକୁ ନେଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ବୀମା କମ୍ପାନୀ ଓ ଚାଷୀ ମାନଙ୍କର ଦେଖାଯାଇଥିବା ବିବାଦ ନେଇ ରାଜ୍ୟ ସରକାର ଠିକରେ ଉପସ୍ଥାପିତ କରିବାରେ ଅହେତୁକ ବିଳମ୍ବ କଲେ । ଏଥିପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି । ଗତ ୩ ତାରିଖରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ବୀମା ରାଶି ପଠାଇବା ପାଇଁ ଚିଠି ଲେଖିଥିଲେ ମଧ୍ୟ ୧୧ ଦିନ ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିନାହିଁ ବୋଲି ପ୍ରଶ୍ନ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀରେ ଧାରଣାରେ ବସିଥିବା ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’ର ସଭାପତି ଓ ସଦସ୍ୟଙ୍କ ଦାବୀକୁ ଆମେ ପୂର୍ଣ୍ଣ ସମର୍ଥନ ଦେଉଛୁ । ପଦ୍ମପୁରକୁ ଗୋଟିଏ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାର ଦାବୀକୁ ଆମ ଦଳର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଏହି ରାଜବୋଡାସମ୍ବରର ମାଟି ହେଉଛି ଦେଶର ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହଙ୍କ ଭଳି ଅନେକ ମହାପୁରୁଷଙ୍କ ମାଟି । ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ କୋଟି କୋଟି ଟଙ୍କା ଦେବାର ବ୍ୟବସ୍ଥା କରିବା ପରେ ମଧ୍ୟ ଘର ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ନଗଣ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଘର ଆବଣ୍ଟନରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ଲଗାଯାଉଛି ।
ପ୍ରଚାର କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ବରଗଡ଼ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସହ ଶହୀଦ ମାଧୋ ସିଂହ ଓ ତାଙ୍କ ପରିବାର ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଶହୀଦ ହୋଇଥିଲେ ।
ଏହା ପରେ ଘେଁସ ଠାରେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ସ୍ମୃତିରେ ନିର୍ମିତ ‘ସ୍ମୃତିସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହି ସ୍ଥାନରେ ଜମିଦାର ଲାଲ ଯୋଗେନ୍ଦ୍ର ନାଥ ସିଂହ ବରିହାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରୀ ପ୍ରଧାନ ମାଲ୍ୟାର୍ପଣ କରିବା ସହ ପଦ୍ମପୁର ସ୍ଥିତ ମା’ ବନ ଦୁର୍ଗାଙ୍କ ମନ୍ଦିରରେ ମଧ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ।