-
ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ପିଲାଙ୍କ ବହିମେଳା,
ଶିଶୁ ଦିବସ ଅବସରରେ ଶିକ୍ଷାଶ୍ରୀ ଶିଶୁ ପାଠାଗାର ଏବଂ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ବିଦ୍ୟାଳୟ ପରିସରରେ ଶିଶୁମାନଙ୍କ ମନଲାଖି ପୁସ୍ତକ ପ୍ରଦର୍ଶନୀ (ପିଲାଙ୍କ ବହିମେଳା) ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଭାଷାବିତ୍ ଡ. ହରପ୍ରସାଦ ମିଶ୍ର ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ, ବିରେନ୍ଦ୍ର ମହାନ୍ତି,ସାହିତ୍ୟିକ କୈଳାସ ରାୟ, ପ୍ରଭାତ ଚନ୍ଦ୍ର ରଥ ପ୍ରମୁଖ ଅତଥି ରୂପେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ପାଠାଗାରର ପ୍ରତିଷ୍ଠାତା ରମେଶ ଚନ୍ଦ୍ର ଦାଶ,ବିଦ୍ୟାଳୟର ‘ସଂପାଦକ ମହେନ୍ଦ୍ର ବିଶୋଇ,ସହ ସଂପାଦକ ଲକ୍ଷ୍ମୀଧର ମାଝୀ, ପ୍ରଧାନ ଶିକ୍ଷୟିତ୍ରୀ କ୍ରୀଷ୍ଣା କୁମାରୀ ଦେଈ,କବିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ଉଦ୍ବୋଧନ ଦେଇ ପିଲାମାନଙ୍କ ପାଇଁ ଉପଯୁକ୍ତ ବୋଧଗମ୍ୟ ଶିଶୁ ସାହିତ୍ୟ ରଚନା ସହିତ ମନଲାଖି ସଚିତ୍ର ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ୱାରୋପ କରିଥିଲେ । ପିଲାମାନଙ୍କ ପାଇଁ ଏଭଳି ପୁସ୍ତକ ମେଳାର ଆବଶ୍ୟକତା ଏବଂ ପିଲାମାନଙ୍କୁ ସୁନାଗରିକ କରି ଗଢି ତୋଳିବାରେ ପୁସ୍ତକର ଗୁରତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ବକ୍ତାମାନେ ବିଷଦ ଆଲୋଚନା କରିଥିଲେ ।
ଏହି ପୁସ୍ତକ ପ୍ରଦର୍ଶନୀରେ ରାଜ୍ୟ ତଥା ରାଜ୍ୟ ବାହାରର ଲବ୍ଧ ପ୍ରତିଷ୍ଠିତ ଲେଖକଙ୍କର ପୁସ୍ତକମାନ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଅଂଚଳବାସୀ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବହିମେଳା ବୁଲି ଦେଖିଥିଲେ ।