ମାଲକାନଗିରି – ଯେଉଁ ହାତରେ ବନ୍ଧୁକ ଧରି ଦିନେ ଲାଲଗଡରେ ଆତଙ୍କ ସୃଷ୍ଟି କରୁଥିଲେ ଆଜି ସେଇ ହାତରେ ଝାଡୁ ଓ ପୋଛା ଧରି ସଫେଇ କରୁଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ । ଦୀର୍ଘ ୧ ୦ ବର୍ଷ ମାଓ ସଂଗଠନରେ ରହିବା ପରେ ୨୦୧୭ରେ ପୋଲିସ ନିକଟରେ ଆତ୍ମସମର୍ପଣ କରି ଏମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି ।
ମାଲକାନଗିରି ମେଡିକାଲରେ ନଭେମ୍ବର ୧ ତାରିଖରୁ ସଫେଇ କର୍ମ·ରୀ ଭାବେ ଏମାନଙ୍କୁ ନିଯୁକ୍ତି ମିଳିଛି । ଆତ୍ମସମର୍ପଣ କରିଥିବା ଏହି ମହିଳା ମାଓବାଦୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ପରେ ମାସକୁ ୫ ହଜାର ଟଙ୍କାରେ ସଫେଇ କାମରେ ନିୟୋଜିତ କରିଛି ଜିଲ୍ଲା ପ୍ରଶାସନ । ଖାଲି ଏହି ମହିଳାମାନେ ନୁହଁନ୍ତି ଏମାନଙ୍କ ଛଡା ଆତ୍ମସମର୍ପଣ କରିଥିବା ଅନେକଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇ କାମରେ ଲଗାଯାଇଛି ।ଆତ୍ମସମର୍ପଣ କରିଥିବା ପୁରୁଷ ମାଓବାଦୀଙ୍କୁ ୧୫ ଦିନିଆ ସିକ୍ୟୁରିଟି ଗାର୍ଡର ଟ୍ରେନିଂ ଦିଆଯାଇଛି । ଏହାସହ ଆଗକୁ ଏପରି ଆତ୍ମସମର୍ପଣ କରିଥିବା ଅନେକ ମାଓବାଦୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେପଟେ ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକୁ ସ୍ୱାଗତ କରିବା ସହ ଏପରି କାର୍ଯ୍ୟ ଜାରି ରହିଲେ ମାଲକାନଗିରିରୁ ମାଓବାଦୀ ଲୋପ ପାଇବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ମାଲକାନଗିରିର ମାଓବାଦୀ ମାନେ ତତ୍ପର । ତେବେ ସେମାନଙ୍କୁ ଗାଁ ମାଟିକୁ ,ସମାଜର ସ୍ରୋତକୁ ଫେରାଇ ଆଣିବାରେ ସରକାରଙ୍କ ଏପରି ପଦକ୍ଷେପ ନିଶ୍ଚିନ୍ତ ଭାବେ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଜଣ କିନ୍ନରକୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।