
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ବରଗଡ଼ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସେ ପୂଣ୍ୟ ଆତ୍ମାର ସଦଗତି କାମନା କରିଛନ୍ତି । ଶ୍ରୀ ପ୍ରଧାନ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ – ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସହ ଶହୀଦ ମାଧୋ ସିଂହ ଓ ତାଙ୍କ ପରିବାର ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଶହୀଦ ହୋଇଥିଲେ। ବରଗଡ଼ ଜିଲ୍ଲା ଘେଁସ ଠାରେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ‘ସ୍ମୃତିସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ସାହସ ଚିର ସ୍ମରଣୀୟ ହୋଇ ରହିବ ।