ଭୁବନେଶ୍ୱର, ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜେଡି । ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବର୍ଷା ହେଉଛନ୍ତି ସ୍ମୃତି ସୌରଭ ବଳିୟାରସିଂଙ୍କ ପତ୍ନୀ ତଥା ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂଙ୍କ ପୁତ୍ରବଧୂ । ସେ ଇତିହାସରେ ସ୍ନାତକୋତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ।
ପଦ୍ମପୁର ଉପ-ନିର୍ବାଚନ ପାଇଁ ଟିକେଟ ମିଳିବା ପରେ ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ତାଙ୍କୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷା ସିଂ ବରିହା ଧନ୍ୟବାଦ ଜଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ପରିବାରରୁ ଯିଏ ବି ଟିକେଟ ପାଇଥିଲେ ମୁଁ ଖୁସି ହୋଇଥାନ୍ତି । ବାପାଙ୍କ କାମ ଦେଖି ମୋତେ ଟିକେଟ ମିଳିଛି । ସେ ୧୬ ତାରିଖ ଦିନ ପ୍ରାର୍ôଥପତ୍ର ଦାଖଲ କରିପାରନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ସେହିପରି ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।