-
ରାମଗୁଣ୍ଡମରେ ସାର କାରଖାନାକୁ ଉତ୍ସର୍ଗ କରିଛନ୍ତି
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ରାମଗୁଣ୍ଡମରେ ୯୫୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ରାମଗୁଣ୍ଡମ୍ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ (ଆରଏଫ୍ସିଏଲ୍) କାରଖାନା ପରିଦର୍ଶନ କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏବଂ ଯେଉଁଥି ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ତାହା ଉଭୟ କୃଷକ ଏବଂ କୃଷି କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ମୁକାବିଲା କରୁଛି ଏବଂ ଯୁଦ୍ଧ ଏବଂ ସାମରିକ କାର୍ଯ୍ୟକଳାପର ପରିସ୍ଥିତି ପ୍ରଭାବିତ ହେଉଛି । କିନ୍ତୁ ଏସବୁ ମଧ୍ୟରେ, ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ଯେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଆଗକୁ ବଢୁଛି । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ୯୦ ଦଶକରୁ ୩୦ ବର୍ଷରେ ଯେତିକି ଅଭିବୃଦ୍ଧି ହୋଇଛି ଆସନ୍ତା କିଛି ବର୍ଷ ମଧ୍ୟରେ ସମାନ ଅଭିବୃଦ୍ଧି ହେବ । ଏହାର ମୁଖ୍ୟ କାରଣ ହେଉଛି ଗତ ୮ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ପରିବର୍ତ୍ତନ । ଗତ ୮ ବର୍ଷ ମଧ୍ୟରେ ଭାରତ କାର୍ଯ୍ୟ କରିବା କ୍ଷେତ୍ରରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି । ଏହି ୮ ବର୍ଷରେ ଚିନ୍ତା କରିବା ସହିତ ଶାସନର ଆଭିମୁଖ୍ୟ ମଧ୍ୟ ଏକ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି । ଭିତ୍ତିଭୂମି, ସରକାରୀ ପ୍ରକ୍ରିୟା, ବ୍ୟବସାୟ କରିବାର ସହଜତା ଏବଂ ପରିବର୍ତ୍ତନଗୁଡ଼ିକରେ ଏହା ଦେଖିବାକୁ ମିଳେ ଯାହା ଭାରତର ଆକାଂକ୍ଷୀ ସମାଜ ଦ୍ୱାରା ଅନୁପ୍ରାଣିତ ହେଉଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଏକ ନୂତନ ଭାରତ ଆତ୍ମବିଶ୍ୱାସ ଏବଂ ବିକାଶର ଆକାଂକ୍ଷା ସହିତ ବିଶ୍ୱରେ ନିଜକୁ ଉପସ୍ଥାପନ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ହେଉଛି ଏକ ନିରନ୍ତର ମିଶନ ଯାହା ଦେଶରେ ବର୍ଷକୁ ୩୬୫ ଦିନ ଚାଲୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଏକ ପ୍ରକଳ୍ପ ଉତ୍ସର୍ଗୀକୃତ ହୁଏ, ସେତେବେଳେ ଏକକାଳୀନ ନୂତନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୁଏ । ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଯେଉଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ରାମଗୁଣ୍ଡମ୍ ପ୍ରକଳ୍ପ ତାହାର ଏକ ସ୍ପଷ୍ଟ ଉଦାହରଣ । ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରାଯାଉଛି । ରାମଗୁଣ୍ଡମ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୭ ଅଗଷ୍ଟ ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରି ଆଗକୁ ବଢିପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଲକ୍ଷ୍ୟ ଉଚ୍ଚାଭିଳାଷୀ ହୁଏ, ସେତେବେଳେ ଆମକୁ ନୂତନ ପଦ୍ଧତି ଆଣିବାକୁ ଏବଂ ନୂତନ ସୁବିଧା ସୃଷ୍ଟି କରିବାକୁ ପଡ଼ିବ । ଶ୍ରୀ ମୋଦୀ କହିଛନ୍ତି ଯେ ସାର କ୍ଷେତ୍ର ହେଉଛି କେନ୍ଦ୍ର ସରକାରଙ୍କ ସଚ୍ଚୋଟ ଉଦ୍ୟମର ପ୍ରମାଣ । ସାରର ଚାହିଦା ପୂରଣ କରିବା ପାଇଁ ଭାରତ ବିଦେଶ ଉପରେ ର୍ନିଭର କରୁଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାମଗୁଣ୍ଡମ କାରଖାନା ସମେତ ପୂର୍ବରୁ ସ୍ଥାପିତ ହୋଇଥିବା ଅନେକ ସାର କାରଖାନା ପୁରୁଣା ପ୍ରଯୁକ୍ତିବିଦ୍ୟା ଯୋଗୁଁ ବନ୍ଦ ହେବାକୁ ବାଧ୍ୟ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତ୍ୟଧିକ ହାରରେ ଆମଦାନୀ ହେଉଥିବା ୟୁରିଆ ଚାଷୀଙ୍କ ନିକଟରେ ପହଞ୍ଚିବା ପରିବର୍ତ୍ତେ ଅନ୍ୟ ଉଦ୍ଦେଶ୍ୟରେ କଳା ବଜାରରେ ବିକ୍ରି ହେଉଥିଲା ।