
-
2018ରେ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଉପରେ ଚାରି ବର୍ଷ ମଧ୍ୟରେ କଣ ପଦକ୍ଷେପ ନେଇଛନ୍ତି ତାହା ଜଣାନ୍ତୁ
ଭୁବନେଶ୍ୱର, ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ ଦେଖା ଦେଇଛି । ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ବିଜେଡିର ପୂର୍ଣ ସମର୍ଥନ ରହିଛି ବୋଲି ବକ୍ତବ୍ୟ ଦେବା ପରେ ବିଜେପି ପ୍ରବକ୍ତା ଅନୀଲ ବିଶ୍ୱାଳ କହିଛନ୍ତି ଯେ 2018 ମସିହାରେ ତତ୍କାଳୀନ ବିଧାୟକ ପ୍ରଦୀପ ପୁରୋହିତ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବାର ଚାରି ବର୍ଷ ପରେ ନବୀନ ସରକାର ଏ ଦିଗରେ କଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରିବା ଆବଶ୍ୟକ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ – 2018 ମସିହାରେ ରାଜ୍ୟରେ କାହା ସରକାର ଥିଲା? ପଦ୍ମପୁରର ପୂର୍ବତନ ବିଧାୟକ ତଥା ଏବେ ଉପନିର୍ବାଚନରେ ବିଜେପିର ପାର୍ଥି ପ୍ରଦୀପ ପୁରୋହିତ ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଦାବି ଉପରେ ସରକାର 4 ବର୍ଷ ଭିତରେ କଣ ପଦକ୍ଷେପ ନେଇଛନ୍ତି?
ସେ କହିଛନ୍ତି ଯେ -ପ୍ରଦୀପ ପୁରୋହିତଙ୍କର ଚିଠିର ଉତ୍ତର କାହିଁକି ମୁଖ୍ୟମନ୍ତ୍ରୀ ଦେଲେ ନାହିଁ କି କୌଣସି ପଦକ୍ଷେପ ନେଲେ ନାହିଁ ତାର ଜବାବ ଏବେ ବିଜୁ ଜନତା ଦଳକୁ ପଦ୍ମପୁର ଲୋକଙ୍କୁ ଦେବାକୁ ପଡିବ l ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଥା ଛଡ଼ା ସବ ଡିଭିଜନ କରିବା ପାଇଁ ରାଜି ମଧ୍ୟ ନଥିଲେ l ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରେ ଏହା ସ୍ପଷ୍ଟ l
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ – ଆଉ ଏବେ ନିର୍ବାଚନ ଆସିଲା ପରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କର ମନେ ପଡିଲା l ପଦ୍ମପୁରର ବିକାଶରେ ବାଧକ ଥିବା ଶକ୍ତିମାନଙ୍କୁ ଏଥର ଉଚିତ ଜବାବ ସେଇ ପଦ୍ମପୁରର ଲୋକେ ଦେବେ ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ଶନିବାର ଦିନ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ଏକ ବକ୍ତବ୍ୟ ଜାରୀ କରି କହିଥିଲେ ଯେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ ରହିଛି । ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ ଆଲୋଚନା କରିଥିବା ପ୍ରକାଶ କରିଥିଲେ ।