-
“ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ ଭାରତର ସ୍ଥିରତାର ଦିନକୁ ପଛରେ ଛାଡି ଦେଇଛି”
ବେଙ୍ଗାଲୁରୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ବିଧାନ ସୌଧ ଠାରେ ସାଧୁ କବି ଶ୍ରୀ କନକ ଦାସ ଏବଂ ମହର୍ଷି ଭାଲମିକିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ କେଏସଆର୍ ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଏହାର ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୨ର ଉଦ୍ଘାଟନ କରିବା ସହ ଶ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କର ୧୦୮ ମିଟର ଦୀର୍ଘ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଜୟନ୍ତୀ ଅବସରରେ କର୍ଣ୍ଣାଟକରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ । ସେ ସନ୍ଥ କନକ ଦାସ ଏବଂ ଓନାକେ ଓବାଭାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି କର୍ଣ୍ଣାଟକ ପ୍ରଥମ ‘ଭାରତରେ ନିର୍ମିତ’ ବନ୍ଦେ ଭାରତ ଟ୍ରେନ୍ ପାଇଛି , ଯାହା ଚେନ୍ନାଇ, ଷ୍ଟାର୍ଟ – ଅପ୍ ରାଜଧାନୀ ବେଙ୍ଗାଲୁରୁ ଏବଂ ଐତିହ୍ୟ ସହର ମହୀଶୂରକୁ ସଂଯୋଗ କରେ । ସେ କହିଥିଲେ ଯେ , ଆଜି କର୍ଣ୍ଣାଟକର ଲୋକ ମାନଙ୍କ ପାଇଁ ଅଯୋଧ୍ୟା, କାଶୀ ଏବଂ ପ୍ରୟାଗରାଜ ଦର୍ଶନ ନିମନ୍ତେ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ୍ ମଧ୍ୟ ଆରମ୍ଭ କରା ଯାଇଛି ।
ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ ୨ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଗତକାଲି ପ୍ରଦର୍ଶିତ ହୋଇଥିବା ଚିତ୍ର ଗୁଡିକ ଅପେକ୍ଷା ଏହାର ଭିତ୍ତିଭୂମି ଅଧିକ ସୁନ୍ଦର ଏବଂ ଚମତ୍କାର ଅଟେ । ପ୍ରଧାନମନ୍ତ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କ ସ୍ମାରକୀ ପ୍ରତିମୂର୍ତ୍ତି ଉପରେ ମଧ୍ୟ ଆଲୋକପାତ କରି ଭବିଷ୍ୟତର ବେଙ୍ଗାଲୁରୁ ଏବଂ ଭାରତ ଗଠନ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଷ୍ଟାର୍ଟ – ଅପ୍ ଦୁନିଆରେ ଭାରତର ପରିଚୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇ କହିଥିଲେ ଯେ , ଏହି ପରିଚୟକୁ ବ୍ୟାଖ୍ୟା କରିବାରେ ବେଙ୍ଗାଲୁରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । “ ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ – ଅପ୍ ଉତ୍ସାହର ଏକ ପ୍ରତିନିଧି ଏବଂ ଏହି ଉତ୍ସାହ ହିଁ ଦେଶକୁ ବିଶ୍ୱର ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଥାଏ ” ବୋଲି ଶ୍ରୀ ମୋଦୀ କହିଥିଲେ । ଏହି କାର୍ଯ୍ୟକ୍ରମ ବେଙ୍ଗାଲୁରୁର ଯୁବ ଭାବନାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ।
ବନ୍ଦେ ଭାରତ କେବଳ ଏକ ଟ୍ରେନ୍ ନୁହେଁ , ଏହା ନୂଆ ଭାରତର ଏକ ନୂତନ ପରିଚୟ । “ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ ଭାରତର ସ୍ଥିରତାର ଦିନ ଗୁଡିକୁ ପଛରେ ଛାଡି ଦେଇଛି । ଭାରତ ରେଳବାଇର ମୋଟ ରୂପାନ୍ତର ପାଇଁ ଆମେ ଏକ ଲକ୍ଷ୍ୟ ନେଇ ଗତି କରୁଛୁ । ” ୪୦୦ ରୁ ଅଧିକ ବନ୍ଦେ ଭାରତ ଟ୍ରେନ୍ ଏବଂ ଭିସ୍ତା ଡୋମ୍ କୋଚ୍ ଗୁଡିକ ଭାରତ ରେଳବାଇର ନୂତନ ପରିଚୟ ପାଲଟିଛନ୍ତି । ଉତ୍ସର୍ଗୀକୃତ ମାଲ୍ ପରିବହନ କରିଡର ଗୁଡିକ ମାଲ ପରିବହନର ଗତିକୁ ବୃଦ୍ଧି କରିବ ଏବଂ ସମୟ ସଂଚୟ କରିବ । ଦ୍ରୁତ ବ୍ରଡ ଗେଜ୍ ରୂପାନ୍ତର ରେଳବାଇ ମାନଚିତ୍ରରେ ନୂତନ କ୍ଷେତ୍ରକୁ ଯୋଡି ଦେଇଛି । ରେଳ ଷ୍ଟେସନର ଆଧୁନିକୀକରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବେଙ୍ଗାଲୁରୁ ରେଳ ଷ୍ଟେସନ ସାର୍ ଏମ୍. ବିଶ୍ୱେଶ୍ୱରାୟ ଟର୍ମିନାଲ୍ ଯାତ୍ରୀ ମାନଙ୍କୁ ବହୁ ଉନ୍ନତ ଅନୁଭୂତି ପ୍ରଦାନ କରୁଛି । କର୍ଣ୍ଣାଟକ ସମେତ ଅନ୍ୟାନ୍ୟ ଷ୍ଟେସନ ଗୁଡିକର ଉନ୍ନୟନ ପାଇଁ କାର୍ଯ୍ୟ ହାତକୁ ନିଆ ଯାଉଛି ବୋଲି ସେ ସୂଚନା ଦେଇଥିଲେ ।
ଏକ ବିକଶିତ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସହର ଗୁଡ଼ିକ ମଧ୍ୟରେ ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହା ମଧ୍ୟ ବର୍ତ୍ତମାନ ସମୟର ଆବଶ୍ୟକତା ଅଟେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , କେମ୍ପେଗୌଡା ବିମାନ ବନ୍ଦରର ନୂତନ ଟର୍ମିନାଲ୍ ସଂଯୋଗକୁ ବଢ଼ାଇବା ପାଇଁ ନୂତନ ସୁବିଧା ଏବଂ ସେବା ସାମିଲ୍ ହେବ । ସେ ଦର୍ଶାଇଥିଲେ ଯେ ବିମାନ ଯାତ୍ରାକୁ ନେଇ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ ଏବଂ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ୨୦୧୪ ପୂର୍ବରୁ ଦେଶରେ କେବଳ ୭୦ଟି ବିମାନ ବନ୍ଦର ଥିଲା, କିନ୍ତୁ ଆଜି ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪୦ ରୁ ଅଧିକ ହୋଇ ଯାଇଛି । ବିମାନ ବନ୍ଦର ଗୁଡିକ ବ୍ୟବସାୟର ବିସ୍ତାର ନିମନ୍ତେ ଏକ ନୂତନ କ୍ଷେତ୍ର ସୃଷ୍ଟି କରୁଛନ୍ତି, ଏହା ସହିତ ଦେଶର ଯୁବକ ମାନଙ୍କ ନିମନ୍ତେ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ , ସମଗ୍ର ବିଶ୍ୱ ଭାରତ ପ୍ରତି ବିଶ୍ୱାସ ଏବଂ ଆକାଂକ୍ଷା ପ୍ରଦର୍ଶନ କରିଛି, ଏବଂ କର୍ଣ୍ଣାଟକ ତାହାର ଲାଭ ଉଠାଉଛି । ଯେତେବେଳେ ବିଶ୍ୱ କୋଭିଡ ମହାମାରୀ ସହ ସଂଘର୍ଷ କରୁଥିଲା, ସେହି ସମୟରେ କର୍ଣ୍ଣାଟକରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଗତ ବର୍ଷ କର୍ଣ୍ଣାଟକ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ମାର୍ଗ ପ୍ରଶସ୍ତ କରିଥିଲା ।” ସେ ଆହୁରି ବିସ୍ତାରରେ କହିଥିଲେ ଯେ , ଏହି ନିବେଶ କେବଳ ଆଇଟି କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ , ବରଂ ବାୟୋ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ଏହା ବ୍ୟାପୀ ରହିଛି । ସେ ସୂଚନା ଦେଇଥିଲେ ଯେ , ଭାରତର ବିମାନ ଏବଂ ମହାକାଶ ଶିଳ୍ପ ଉଦ୍ୟୋଗରେ କର୍ଣ୍ଣାଟକର ୨୫ ପ୍ରତିଶତ ଅଂଶ ରହିଛି । ସେ ଏହା ମଧ୍ୟ କହିଥିଲେ ଯେ , ଭାରତର ପ୍ରତିରକ୍ଷା ପାଇଁ ନିର୍ମିତ ପ୍ରାୟ ୭୦ପ୍ରତିଶତ ବିମାନ ଏବଂ ହେଲିକପ୍ଟର ଗୁଡିକ କର୍ଣ୍ଣାଟକରେ ନିର୍ମିତ ହୋଇଥାଏ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ , କର୍ଣ୍ଣାଟକରେ ଫର୍ଚୁନ୍ ୫୦୦ ତାଲିକାରେ ରହିଥିବା କମ୍ବାନୀ ଗୁଡିକ ମଧ୍ୟରୁ ୪୦୦ ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଏଭଳି ଚମତ୍କାର ଅଭିବୃଦ୍ଧି ପାଇଁ ସେ କର୍ଣ୍ଣାଟକର ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାରଙ୍କୁ ଶ୍ରେୟ ଦେଇଥିଲେ ।
“ଶାସନ ହେଉ କିମ୍ବା ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିର ଅଭିବୃଦ୍ଧି ହେଉ, ଭାରତ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ସ୍ତରରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଭୀମ ୟୁପିଆଇ ଏବଂ ମେଡ୍ ଇନ୍ ଇଣ୍ଡିଆ ୫ଜି ଟେକ୍ନୋଲୋଜିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବେଙ୍ଗାଲୁରୁର ବୃତ୍ତିଧାରୀ ମାନେ ହିଁ ଏହି ଦୂର ସ୍ୱପ୍ନକୁ ବାସ୍ତବରେ ପରିଣତ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ , ପୂର୍ବ ସରକାରଙ୍କ ବିଚାର ପ୍ରକ୍ରିୟା ପୁରୁଣା ହୋଇ ଥିବାରୁ ୨୦୧୪ ପୂର୍ବରୁ ଏଭଳି ସକାରାତ୍ମକ ପରିବର୍ତ୍ତନ କଳ୍ପନା ବାହାରେ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପୂର୍ବ ସରକାର ଗତିକୁ ବିଳାସ ଭାବେ ଏବଂ ସ୍ତରକୁ ବିପଦ ଭାବରେ ବିବେଚନା କରୁଥିଲେ । ସେ କହିଥିଲେ ଯେ, ଆମ ସରକାର ଏହି ପ୍ରବୃତ୍ତିକୁ ବଦଳାଇ ଦେଇଛନ୍ତି । ଆମେ ଗତିକୁ ଆକାଂକ୍ଷା ଏବଂ ମାପକୁ ଭାରତର ଶକ୍ତି ଭାବରେ ବିବେଚନା କରୁଛୁ । ” ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , ସମସ୍ତ ବିଭାଗ ଏବଂ ଏଜେନ୍ସିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ସରକାର ଉଦ୍ୟମ କରିଛନ୍ତି ଏବଂ ଫଳସ୍ୱରୂପ ବିଭିନ୍ନ ଏଜେନ୍ସି ଗୁଡିକରେ ପନ୍ଦର ଶହରୁ ଅଧିକ ସ୍ତରର ତଥ୍ୟ ଉପଲବ୍ଧ ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ , ଏହି ପ୍ଲାଟଫର୍ମ ସାହାଯ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରଣାଳୟ ସହିତ ଅନେକ ବିଭାଗ ଏକାଠି ହେଉଛନ୍ତି । “ଭିତ୍ତିଭୂମି ବିନିଯୋଗ ପାଇପଲାଇନ୍ରେ ୧୧୦ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଦିଗରେ ଆଜି ଭାରତ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ” । ମଲ୍ଟିମୋଡାଲ ଭିତ୍ତିଭୂମି ଉପରେ ଗୁରୁତ୍ୱ ପ୍ରଦାନ କରା ଯାଉଛି , ଯାହା ଦ୍ୱାରା ପ୍ରତ୍ୟେକ ପରିବହନ ମାଧ୍ୟମ ଅନ୍ୟକୁ ସମର୍ଥନ କରି ପାରିବ । ରାଷ୍ଟ୍ରୀୟ ଲଜିଷ୍ଟିକ୍ ନୀତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦେଶରେ ପରିବହନ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ ।