ଭୁବନେଶ୍ୱର – ଜେ.ଏନ୍.ୟୁ ଭାରତବର୍ଷର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ଉଚ୍ଚମାନର ଗବେଷଣା ଶିକ୍ଷା ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଭାରତ ସମେତ ୧୪୫ ଗୋଟି ଦେଶରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ ନିମନ୍ତେ ଆସିଥାଆନ୍ତି । ବର୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଚଳିତବର୍ଷ ଅର୍ଥନୀତି କ୍ଷେତ୍ରରେ ନୋବେଲ୍ ପୁରସ୍କାର ଜିତିଥିବା ଅଭିଜିତ୍ ବାନାର୍ଜୀଙ୍କ ପର୍ଯ୍ୟନ୍ତ ଜେ.ଏନ୍.ୟୁ ଅନେକ ପ୍ରତିଭା ତିଆରି କରିଛି । ବର୍ତମାନର ନରେନ୍ଦ୍ର ମୋଦି ପରିଚାଳିତ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଜେ.ଏନ୍.ୟୁ ଭଳି ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରିବା ପାଇଁ ବାରମ୍ବାର ଉଦ୍ୟମ କରୁଛି । ଛାତ୍ରାବାସର ଫିସ୍, ପାଣି ଚାର୍ଜ, ବିଦ୍ୟୁତ୍ ଚାର୍ଜ ଇତ୍ୟାଦି ଆଳରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କେନ୍ଦ୍ରସରକାରଙ୍କ ଇସାରାରେ ବହୁ ମାତ୍ରାରେ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଂଚିତ ହେବେ । ଏହି ଫି ବୃଦ୍ଧି ପ୍ରତିବାଦରେ ଜେ.ଏନ୍.ୟୁର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସମୟରେ ଦିଲ୍ଲୀ ପୋଲିସ୍ର ଅମାନୁଷିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଦୃଷ୍ଟିହୀନ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ଏହି ମରଣାତ୍ମକ ଆକ୍ରମଣରୁ ରକ୍ଷା ପାଇନଥିଲେ । ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କୁ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଆବଶ୍ୟକତାକୁ କୁଠାରଘାତ କରି କେନ୍ଦ୍ର ସରକାର ଶିକ୍ଷା ବେପାର କମ୍ପାନୀମାନଙ୍କୁ ଅସୁମାରୀ ଲାଭ ପାଇଁ ପଥ ଉନ୍ମୁକ୍ତ କରୁଛନ୍ତି । ଏହି ଆନ୍ଦୋଳନର ସ୍ୱର ଏବେ ଭାରତ ବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ମଧ୍ୟ ତୀବ୍ର ହେଲାଣି । ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଦାବି ସହିତ ଜେ.ଏନ୍.ୟୁ.ର ଫି ବୃଦ୍ଧି ପ୍ରତ୍ୟାହାର ଦାବିକୁ ସମର୍ଥନ ଜଣାଇ ରାଜଧାନୀସ୍ଥ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ଏ.ଆଇ.ଏସ୍.ଏଫ୍., ଏସ୍.ଏଫ୍.ଆଇ, ଏ.ଆଇ.ଡି.ଏସ୍.ଓ., ଏ.ଆଇ.ଏସ୍.ଏ., ଏ.ଆଇ.ଏସ୍.ବି. ଓ ପି.ୱାଇ.ଏସ୍.ଏଫ୍. ଛାତ୍ରସଂଗଠନ ପକ୍ଷରୁ ଏକ ମିଳିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ପ୍ରଗତିଶୀଳ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇଥିଲେ ।
Related Stories
November 25, 2024