-
ନିଜେ ପଢ଼ିଥିବା ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
-
ସହପାଠିନୀଙ୍କୁ ଭେଟିଲେ, ଛାତ୍ରୀନିବାସର ନିଜ ଖଟରେ ବସିଲେ
ଭୁବନେଶ୍ୱର, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀର ଦୁଇଟି ବିଦ୍ୟାଳୟରେ ପହଂଚି କିଛି ସମୟ ବିତାଇଛନ୍ତି । ପ୍ରଥମେ ସେ ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସେଠାରେ କିଛି ସମୟ ରହିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ।
ତପୋବନ ସ୍କୁଲ ପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କିଛି ସମୟ ପାଇଁ ରହିଥିଲେ । ଏହି ସ୍କୁଲରେ ସେ ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସରେ ରହିଥିଲେ ।
ଋାଷ୍ଟ୍ରପତି ହେବା ପରେ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ସେ ନିଜେ ପଢ଼ୁଥିବା ସ୍କୁଲରେ ପହଂଚିଥିଲେ । ଗସ୍ତ ଅବସରରେ ସେ ନିଜର ୧୩ଜଣ ସହପାଠିନୀଙ୍କୁ ଭେଟିଥିବା ଜଣାଯାଇଛି । ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହପାଠିନୀମାନେ ରାଷ୍ଟ୍ରପତିଙ୍କୁ ଭେଟି ଖୁବ୍ ଆନନ୍ଦିତ ଥିବା କହିଛନ୍ତି । ଏହି ଅବସରରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବୃକ୍ଷରୋପଣ କରିଛନ୍ତି । ଖାଲି ସେତିକି ନୁହେଁ, ସେ ହଷ୍ଟେଲରେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍କୁ ଯାଇଥିଲେ ।
ଛାତ୍ରୀନିବାସ ପରିଦର୍ଶନ କରି ଯେଉଁ ଖଟ ବ୍ୟବହାର କରୁଥିଲେ ସେଥିରେ କିଛି ସମୟ ବସିଥିଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।