ପୁରୀ, ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଗସ୍ତରେ ଆସି ପୂର୍ବାହ୍ନ ୧୧ଟା ୪୦ ମିନିଟ୍ ସମୟରେ ତାଳବଣିଆ ହେଲିପ୍ୟାଡରେ ପହଂଚିବେ । ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ସେ ସେଠାରେ ପହଂଚିବା ପରେ ସିଧାସଳଖ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଦିନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିରରେ ଦର୍ଶନ ସହ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ ଓ ବେଢ଼ା ପରିକ୍ରମା କରିବେ । ଦର୍ଶନ ପରେ ପୁରୀ ରାଜଭବନରେ କିଛି ସମୟ ରହଣି କରିବେ ଏବଂ ସେଠାରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ କେତେକ ସ୍ଥାନରେ ବ୍ୟାରିକେଡ୍ କରାଯାଇଛି । ତାଳବଣିଆ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ଛକରେ ପୋଲିସ ମୁତୟନ ହୋଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଅପରାହ୍ନ ୩ଟା ୨୦ ରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ଼ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।