ପୁରୀ, ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଗସ୍ତରେ ଆସି ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ୪୦ ମିନିଟ୍ ସମୟରେ ତାଳବଣିଆ ହେଲିପ୍ୟାଡରେ ପହଂଚିଥିଲେ । ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ସେ ସେଠାରେ ଅବତରଣ କରିବା ପରେ କାର୍ ଯୋଗେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ବଡ଼ଦାଣ୍ଡରେ ପ୍ରବେଶ କରିବା ମାତ୍ରେ ମେଡିକାଲ ଛକରେ କାର୍ ରୁ ଓହ୍ଲାଇ ବଡ଼ଦାଣ୍ଡର ଧୂଳି ମୁଣ୍ଡରେ ମାରିବା ସହ ପତିତପାବନଙ୍କୁ ଚାହିଁ ପ୍ରଣାମ କରିଥିଲେ । ପରେ କାର୍ ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ସେଠାରେ କାର୍ ରୁ ଓହ୍ଲାଇ ଅପେକ୍ଷାରତ ହଜାର ହଜାର ସଂଖ୍ୟାରେ ଜନତାଙ୍କୁ ସ୍ଵାଗତ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଫଟୋ ଉଠାଇଥିଲେ । ଚାଲି ଚାଲି ଯାଇ ଗୋପବନ୍ଧୁଙ୍କ ନିକଟରେ ଥିବା ସ୍ଵତନ୍ତ୍ର ରେଷ୍ଟ ରୁମ୍ ରେ କିଛି ସମୟ ବିଶ୍ରାମ ନେଇଥିଲେ । ପରେ ସିଂହଦ୍ଵାର ନିକଟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ । ଏହାପରେ ରାଷ୍ଟ୍ରପତି ଦିନ ୧୨ଟା ୨୦ ରେ ସିଂହଦ୍ଵାର ସାମ୍ନାରେ ଅରୁଣ ସ୍ତମ୍ବକୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ତାଙ୍କ କୌଳିକ ପଣ୍ଡା ମନ୍ଦିର ଦର୍ଶନ କରାଇଥିଲେ । ରାଷ୍ଟ୍ରପତିଙ୍କ ପାଇଁ ୧୦୮ ତୁଳସୀ ଥିବା ୩ଟି ମାଳ ତିନି ଠାକୁରଙ୍କୁ ଲାଗି କରିଥିଲେ ପୂଜାପଣ୍ଡା । ଦର୍ଶନ ପରେ ଗର୍ଭଗୃହରୁ ବେହରଣ ଦ୍ଵାର ଦେଇ ବାହାରି ମୁକ୍ତିମଣ୍ଡପ ନିକଟରେ ପହଂଚି ଥିଲେ ରାଷ୍ଟ୍ରପତି । ଏହାପରେ ବିମଳା ମନ୍ଦିର, ମହାଲକ୍ଷ୍ମୀଙ୍କ ମନ୍ଦିର ଦର୍ଶନ ଓ ବେଢ଼ା ପରିକ୍ରମା କରି ସିଂହଦ୍ଵାରରେ ୧୨ଟା ୫୮ରେ ପ୍ରସ୍ଥାନ କରିଥିଲେ । ଦର୍ଶନ ପରେ ପୁରୀ ରାଜଭବନରେ କିଛି ସମୟ ରହଣି କରିବା ସହ ସେଠାରେ ମହାପ୍ରସାଦ ସେବନ କରିଥିଲେ । ଅପରାହ୍ନ ୩ଟା ୨୦ ରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ଼ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ କେତେକ ସ୍ଥାନରେ ବ୍ୟାରିକେଡ୍ କରାଯାଇଥିଲା । ତାଳବଣିଆ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ଛକରେ ପୋଲିସ ମୁତୟନ ହୋଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ ।