ଗଞ୍ଜାମ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଆଇ.ଡି.ବି.ଆଇ. ବ୍ୟାଙ୍କ ପକ୍ଷରୁ ଗୋପାଳପୁର ଥାନା ନାରାୟଣପୁର – ଆଲିପୁର ରାସ୍ତାରେ ଥିବା ଫର୍ଚୁନ ସ୍ପିରିଟ ଲିମିଟେଡ଼ କମ୍ପାନୀକୁ ସିଲ୍ କରାଯାଇଛି । ସରଫେସି ଆକ୍ଟ ୨୦୦୨ ଆଧାରରେ କନିସି ସହକାରୀ ତହସିଲଦାର କୂଲଦୀପ କୁମାର ମାଜିଷ୍ଟ୍ରେଟ ଦାୟୀତ୍ଵରେ ରହି ଏହାକୁ ସିଲ୍ କରିଛନ୍ତି ।
ସୂଚନା ଅନୁସାରେ, କମ୍ପାନୀର ମାଲିକ ରାଜେଶ ସାହୁ ୨୦୦୯ରୁ ମଦ ବଟଲିଂ ୟୁନିଟ୍ କରିଥିଲେ । ୨୦୧୫ ରେ ସେ ଆଇ.ଡି.ବି.ଆଇ. ବ୍ୟାଙ୍କରୁ ୧୨ କୋଟି ୧୬ ଲକ୍ଷ ୮୫ ହଜାର ୨୧୧ ଟଙ୍କା ଋଣ ନେଇଥିଲେ । ଋଣ ଅର୍ଥ ଓ ସୁଧ ମିଶାଇ ଏବେ ପ୍ରାୟ ୧୫ କୋଟି ଟଙ୍କାରେ ପହଂଚି ଥିଲା । ଅର୍ଥ ପୈଠ କରିବା ପାଇଁ ବ୍ୟାଙ୍କ କର୍ତୃପକ୍ଷ ରାଜେଶଙ୍କୁ ବାରମ୍ବାର ନୋଟିସ୍ କରିଥିଲେ । ତେବେ ଋଣ ପରିଶୋଧ ନକରିବାରୁ ମାଜିଷ୍ଟ୍ରେଟ କୂଲଦୀପ କୁମାର, ଭୁବନେଶ୍ଵର ଆଇ.ଡି.ବି.ଆଇ. ମୁଖ୍ୟ ଶାଖାର ଅଧିକାରୀ, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ କମ୍ପାନୀକୁ ସିଲ୍ କରାଯାଇଛି ।