-
୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବାପାଇଁ ଡ୍ରୋନ ସର୍ଭେ ଆରମ୍ଭ
-
ଟାଟା ଷ୍ଟିଲ – ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
-
୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
-
ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସଂପୂର୍ଣ୍ଣ ବସ୍ତିମୁକ୍ତ ସହର
ଭୁବନେଶ୍ୱର, ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ବସ୍ତିବାସିନ୍ଦା ମାନଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି । ସ୍ଥାନୀୟ କିଟ୍ କନ୍େଭନସନ ହଲ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
୫ଟି ମହାନଗର ନିଗମରେ ବସ୍ତିବାସିନ୍ଦା ମାନଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଂଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ ଏବଂ ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜି ଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ୱରେ ସୁନାମ ପାଇଛି । ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି । ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଂଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ ।
୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯାତ୍ରା ବର୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ଉନ୍ନୟନ ସଂଘ ଗୁଡିକୁ ଆମେ ବିକାଶ ବ୍ୟବସ୍ଥାରେ ଭାଗିଦାର ହେବାର ସୁଯୋଗ ଦେଇଛୁ । ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ । ବସ୍ତି ସମୁହର ଭିତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଖର୍ଚ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରିବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ôଥକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଉଦ୍ୟମ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବସ୍ତି ବିକାଶ କାର୍ଯ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇ ରାଜ୍ୟର ସହର ଗୁଡିକର, ବିଶେଷ କରି, ବସ୍ତି ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଥିଲେ ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ବିଭିନ୍ନ ସହରାଂଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।