![](https://indokalingtimes.com/wp-content/uploads/2019/09/modi-1.jpg)
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ୫୫୩ତମ ପ୍ରକାଶ ପର୍ବ ସମାରୋହରେ ସାମିଲ ହୋଇ ପୂଜା ଅର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାଲ୍, ସିରୋପା ଏବଂ ଖଡ୍ଗ ଦ୍ୱାରା ସମ୍ବର୍ଦ୍ଧନା ଦିଆଗଲା ।
ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଗୁରୁପୁରବ ଓ ପ୍ରକାଶ ପର୍ବର ଶୁଭ ଅବସର ଏବଂ ଦେବ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ୩୫୦ତମ ପ୍ରକାଶ ପର୍ବ, ଗୁରୁ ତେଗ ବାହାଦୁର ଜୀଙ୍କ ୪୦୦ତମ ପ୍ରକାଶ ପର୍ବ ଏବଂ ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ପ୍ରକାଶୋତ୍ସବ ଭଳି ପ୍ରମୁଖ ପ୍ରକାଶ ପର୍ବଗୁଡ଼ିକୁ ପାଳନ ଅବସର ମିଳିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହିସବୁ ଶୁଭ ଅବସରର ପ୍ରେରଣା ଏବଂ ଆଶୀର୍ବାଦ ନୂଆ ଭାରତର ଊର୍ଜାକୁ ବୃଦ୍ଧି କରୁଛି । ପ୍ରତ୍ୟେକ ପ୍ରକାଶ ପର୍ବର ଆଲୋକ ଦେଶ ପାଇଁ ପ୍ରକାଶର ଉତ୍ସ ଭାବେ କାର୍ଯ୍ୟ କରୁଛି ।’’ ସେ ଦର୍ଶାଇଛନ୍ତି ଯେ ଶିଖ ସମୁଦାୟ ଦ୍ୱାରା ଅନୁସରଣ କରାଯାଉଥିବା ପ୍ରକାଶ ପର୍ବର ଅର୍ଥ ନୂଆ ରାଷ୍ଟ୍ରକୁ କର୍ତ୍ତବ୍ୟ ଓ ସମର୍ପଣର ମାର୍ଗ ଦର୍ଶନ କରାଇଛି । ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରଗୁଡ଼ିକରେ ଗୁରୁ କୃପା, ଗୁରୁବାଣୀ ଏବଂ ଲଙ୍ଗର ପ୍ରସାଦ ପ୍ରତି ନିଜ ଭକ୍ତି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତ, ‘‘ଏହା କେବଳ ଆନ୍ତରିକ ଶାନ୍ତି ପ୍ରଦାନ କରି ନ ଥାଏ, ବରଂ ସମର୍ପଣ ସହିତ ସେବା କରିବାର ଇଚ୍ଛାକୁ ବି ଚିରନ୍ତନ ରଖିଥାଏ ।’’
ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗୁରୁ ନାନକ ଦେବ ଜୀଙ୍କ ବିଚାର ଦ୍ୱାରା ପ୍ରେରିତ ହୋଇ ଦେଶ ୧୩୦ କୋଟି ଭାରତୀୟଙ୍କ କଲ୍ୟାଣର ଭାବନା ସହ ଅଗ୍ରସର ହେଉଛି ।’’ ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଜ୍ଞାନ, ବୈଶ୍ୱିକ ସମୃଦ୍ଧି ଓ ସାମାଜିକ ସଦଭାବ ନିମନ୍ତେ ଗୁରୁ ନାନକ ଦେବ ଜୀଙ୍କ ଉପଦେଶଗୁଡ଼ିକୁ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜାଦୀ କା ଅମୃତ କାଳରେ ଦେଶ ରାଷ୍ଟ୍ରର ଗୌରବ ଓ ଆଧ୍ୟାତ୍ମିକ ପରିଚୟକୁ ନେଇ ଗର୍ବ ଭାବନକୁ ପୁଣିଥରେ ଜାଗ୍ରତ କରିଛି । କର୍ତ୍ତବ୍ୟର ସର୍ବୋଚ୍ଚ ଭାବନାକୁ ପ୍ରୋତ୍ସାହିତ କିବା ପାଇଁ, ଦେଶ ଏହି ପର୍ଯ୍ୟାୟକୁ କର୍ତ୍ତବ୍ୟ କାଳ ଭାବେ ମନାଇବା ପାଇଁ ନିଷ୍ପତ୍ତି ନେଇଛି । ଆଜାଦୀ କା ଅମୃତ କାଳର ଏହି ପର୍ଯ୍ୟାୟ ଅବଧିରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ସହ ସମାନତା, ସଦଭାବ, ସାମାଜିକ ନ୍ୟାୟ ଏବଂ ଏକତାର କାର୍ଯ୍ୟ ଜାରି ରହିଛି । ସେ କହିଛନ୍ତି ଯେ ଗୁରୁବାଣୀ ଦ୍ୱାରା ଆମକୁ ଯେଉଁ ଦିଗ ମିଳିଛି, ତାହା ପରମ୍ପରା ବିଶ୍ୱାସ ଓ ବିକଶିତ ଭାରତର ଦୃଷ୍ଟିକୋଣ ମଧ୍ୟ ଅଟେ ।