
ଜୟପୁର, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ନେଇ ଆଜି ସହର ସାରା ସଂକୀର୍ତ୍ତନ ମଣ୍ଡଳୀ ଦେଖିବାକୁ ମିଳିଥିଲା । ଭୋର୍ ୩ ଟା ସମୟରୁ ବିଭିନ୍ନ ସାହି ଗୁଡ଼ିକରେ ରହିଥିବା ସଂକୀର୍ତ୍ତନ ମଣ୍ଡଳୀ ଭିନ୍ନ ଭିନ୍ନ ମନ୍ଦିର ପରିସରରେ ରାମ ନାମ ନେଇ ବୁଲୁଥିବା ବେଳେ ଆଖପାଖ ଗାଁ ଗହଳିରୁ ମଧ୍ୟ ସଂକୀର୍ତ୍ତନ ମଣ୍ଡଳୀମାନେ ଜୟପୁର ସହରକୁ ଆସିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ସହରର ସମସ୍ତ ମନ୍ଦିର ଗୁଡ଼ିକ ଲୋକାରଣ୍ୟ ରହିଥିଲା । ବିଶେଷ କରି ଜୟପୁରର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ରଘୁନାଥ ମନ୍ଦିର, ଗୀତା ଭବନ,ବାଲାଜି ମନ୍ଦିର, ପଞ୍ଚାନନ ମନ୍ଦିର, କୁଞ୍ଜବିହାରି ମନ୍ଦିର, ଚୈତନ୍ୟ ମନ୍ଦିର ମାନଙ୍କରେ ପ୍ରବଳ ଭିଡ ଦେଖାଦେଇଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ମଧ୍ୟ ସଂକୀର୍ତ୍ତନରେ ଭାଗ ନେଇଥିଲେ । ମନ୍ଦିର ରେ ସହର ସାରା ଭକ୍ତ ଭିଡ ଦେଖି ପୋଲିସ ତରଫରୁ ପେଟ୍ରୋଲିଂ ବ୍ୟବସ୍ଥା କଡା କଡି କରାଯାଇ ଭକ୍ତ ମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇ ଥିଲା ।ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ସାଢେ ୫ଟାରେ ସମସ୍ତ ମନ୍ଦିରେ ନିତି କାନ୍ତ ଶେଷ କରାଯାଇ ବନ୍ଦ କରାଯାଇଥିଲା ।