
ଜୟପୁର, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଜି ଜୟପୁର ଠାରେ ବୋଇତ ବନ୍ଦାଣ ଉତ୍ସବ ସମାରୋହରେ ପାଳିତ ହୋଇଛି । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଭୋରରୁ ହାତରେ କଦଳୀ ମଞ୍ଜାରେ ନିର୍ମିତ ଛୋଟ ଛୋଟ ବୋଇତ ଧରି ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗରର , ଖଜୁରି ବନ୍ଦ ଠାରେ ବୋଇତ ବନ୍ଦାଣ କରିଥିଲେ । ବୋଇତ ଗୁଡାକରେ ଗେଣ୍ଡୁଫୁଲ ସହ ପାନପତ୍ର ଗୁଆ ପାଣିରେ ଭସାଇଥିଲେ । ବିଶେଷ କରି ଛୋଟ ପିଲା ଓ ମହିଳା ମାନଙ୍କ ମଧ୍ୟରେ ବୋଇତ ବନ୍ଦାଣ କୁ ନେଇ ବେଶ ଆଗ୍ରହ ଥିବା ପରିଲିକ୍ଷିତ ହୋଇଥିଲା । ଜୟପୁରରେ ଜଗନ୍ନାଥ ସାଗରରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ପୋଖରି ନିକଟରେ ବାଣ ଫୁଟାଇ ପିତୃ ପୁରଷଙ୍କୁ ଅର୍ପଣ କରିଥିଲେ । ଆ କା ମା ବୈ ପାନ ଗୁଆ ତୋର ମାସକର ଧର୍ମ ମୋର କହି ହବିଷ୍ୟାଳି ମାନେ ଉଚ୍ଚାରଣ କରିବାରୁ ସାଗର ତଟ ମୁଖରିତ ହୋଇ ପଡିଥିଲା । ରାତ୍ର ୧ ଘଣ୍ଟା ଠାରୁ ବାଣ ଫୁଟାଇ ଲୋକ ମାନେ ଆନନ୍ଦ ଉଲ୍ଲାସରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ଦମକଳ ଗାଡି ଜଗନ୍ନାଥ ସାଗର ନିକଟରେ ରହି ବୋଇତ ଭଷାଇବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେଇଥିଲେ ।