ବାଲେଶ୍ଵର, ୧୬ ନଂ ଜାତୀୟ ରାଜପଥର ଜାମୁଝାଡ଼ି ତାରିଣୀ ଛକ ନିକଟରେ ଆଜି ସକାଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଗରେ ଯାଉଥିବା କଂଟେନରକୁ ପଛ ପଟୁ ଧକ୍କା ଦେଇଥିଲା ସ୍କର୍ପିଓ । ଫଳରେ ପଛରେ ଥିବା ଅନ୍ୟ ଏକ ସ୍କର୍ପିଓ ପଛପଟୁ ବାଡେଇ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କ ସମେତ ମହିଳା ପାର୍ବତୀ ଦାସ ଓ ତାଙ୍କ ସ୍ଵାମୀ ଶଙ୍କର ରାଓଙ୍କ ମୃତ୍ୟୁ ହୋଇଥିଲା । ଏହାସହ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନଙ୍କୁ ସୋରୋ ମେଡିକାଲରେ ଭର୍ତି କରାଯାଇଛି ।
ଦୁର୍ଘଟଣାରେ ସ୍କର୍ପିଓଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ତା’ ଭିତରେ ମୃତଦେହଗୁଡ଼ିକ ଚାପି ହୋଇଯାଇଥିଲା । ଦୀର୍ଘ ସମୟ ପରିଶ୍ରମ ପରେ ଗାଡ଼ି କଟାଯାଇ ମୃତଦେହକୁ ବାହାର କରାଯାଇଥିଲା । ଘଟଣାସ୍ଥଳରେ ସୋର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଏଥିଯୋଗୁ ଜାତୀୟ ରାଜପଥରେ ଯାତାୟତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଦୁଇଟି ପରିବାର ଜଗନ୍ନାଥ ଦର୍ଶନ ନିମନ୍ତେ ପଶ୍ଚିମବଙ୍ଗ ହୁଗୁଳିରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା ।