ପୁରୀ,ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସର ମାଡ ଘଟଣାରେ ମହିଳା ଜଣକ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସା ନିମନ୍ତେ ତାଙ୍କୁ ପୁରୀ ମେଡ଼ିକାଲରେ ଭର୍ତି କରାଯାଇଛି । ସେ ବର୍ତମାନ ସୁସ୍ଥ ଅଛନ୍ତି । ଆହତ ମହିଳାଙ୍କ ନାମ ମାଧୁରୀ ଦାଶ ଏବଂ ସେ ବ୍ରହ୍ମପୁର ଅଂଚଳର ହୋଇଥିବା ସୂଚନା ମିଳିଛି । କାର୍ତିକ ବ୍ରତ ପାଳନ ପାଇଁ ମାଧୁରୀ ପୁରୀ ଆସିଥିଲେ । ସେ ବାସେଳିସାହିରେ ରହୁଥିଲେ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ମାଡ ମାରି ଆହତ କରିବା ଘଟଣାରେ ମାଡ ମାରିଥିବା ପୋଲିସ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ । ତେବେ କେଉଁ ପରିସ୍ଥିତିରେ ହାବିଲଦାର ଜଣକ ସମ୍ପୃକ୍ତ ମହିଳାଙ୍କୁ ମାଡ଼ ମାରିଲେ ତାହାର ତଦନ୍ତ ହେବ, ଅତିରିକ୍ତ ଏସପି ମିହିର ପଣ୍ଡାଙ୍କୁ ଘଟଣାର ତଦନ୍ତ ଦାୟୀତ୍ଵ ଦିଆଯାଇଥିବା ଏସପି କହିଛନ୍ତି ।