ନୂଆଦିଲ୍ଲୀ, ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖରେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୨୦ ଅନୁଯାୟୀ ଧାର୍ଯ୍ୟ ବାଧ୍ୟତାମୂଳକ ମାନଦଣ୍ଡକୁ ଉଲ୍ଲଂଘନ କରି ଉପଭୋକ୍ତା ଅଧିକାରର ଉଲ୍ଲଂଘନ କରିବା ସହିତ ଅନୁଚିତ ବାଣିଜ୍ୟ କାରବାର କରି ଥିବାରୁ କମ୍ପାନୀ ବିରୁଦ୍ଧରେ ଏହି ଆଦେଶ ପ୍ରଦାନ କରିଛନ୍ତି ।
ବାଧ୍ୟତାମୂଳକ ମାନକର ଉଲ୍ଲଂଘନ କରି ଇ – କମର୍ସ ପ୍ଲାଟଫର୍ମରେ ଘରୋଇ ପ୍ରେସର କୁକର ବିକ୍ରୟ କରା ଯାଉଥିବାରୁ ଏହା ବିରୋଧରେ ସିସିପିଏ ନିଜ ତରଫରୁ କାର୍ଯ୍ୟ ଆରମ୍ଭ କରିଥିଲା । ସିସିପିଏ ଆମାଜନ, ଫ୍ଲିପକାର୍ଟ, ପେଟିଏମ୍ ମଲ୍, ସପ୍କ୍ଲୁଜ୍ ଏବଂ ସ୍ନାପଡିଲ୍ ସହିତ ପ୍ରମୁଖ ଇ – କମର୍ସ ପ୍ଲାଟଫର୍ମ ଗୁଡିକୁ ତଥା ଏହି ପ୍ଲାଟଫର୍ମ ଗୁଡିକରେ ପଞ୍ଜିକୃତ ହୋଇଥିବା ବିକ୍ରେତା ମାନଙ୍କୁ ନୋଟିସ୍ ଜାରି କରିଛି । କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ “ଆମାଜନ୍ ବେସିକ୍ସ ଷ୍ଟେନଲେସ୍ ଷ୍ଟିଲ୍ ଆଉଟର ଲିଡ୍ ପ୍ରେସର କୁକର, ୪ ଲିଟର (ହ୍ୱିସିଲ୍ ଦ୍ୱାରା ପ୍ରେସର ଆଲର୍ଟ ଦେଇ ନଥାଏ) ନାମରେ ପ୍ରେସର କୁକର ବିକ୍ରି କରୁଥିଲା । https ://www.amazon.in/AmazonBasics-Stainless-Steel-Pressure-Cooker/dp/B071G5KNXK ରେ ଆମାଜନ ଇ – କମର୍ସ ପ୍ଲାଟଫର୍ମରେ ଗ୍ରାହକଙ୍କୁ ବିକ୍ରୟ ପାଇଁ ପ୍ରେସର କୁକର ଦିଆ ଯାଉଥିଲା ।
କ୍ଲାଉଡଟେଲ୍ ସିସିପିଏକୁ ଏହାର ଉତ୍ତର ଦାଖଲ କରିବାକୁ ଯାଇ ଉଲ୍ଲେଖ କରିଛି ଯେ କ୍ୟୁସିଓ ବଳବତ୍ତର ହେବା ପରେ କମ୍ପାନୀ ପ୍ରେସର କୁକର ଆମଦାନୀକୁ ସ୍ଥଗିତ ରଖିଛି । ସିସିପିଏ ଦ୍ୱାରା ଏହା ଦେଖା ଯାଇଥିଲା ଯେ, ଯଦିଓ ଆମଦାନୀ ସ୍ଥଗିତ ରହିଥିଲା, ତଥାପି ଗ୍ରାହକଙ୍କୁ ଏପରି ପ୍ରେସର କୁକର ବିକ୍ରୟ ବନ୍ଦ କରା ଯାଇ ନଥିଲା । ବାସ୍ତବରେ, ଏହି ଦାଖଲ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ କ୍ୟୁସିଓ ବିଷୟରେ ଅବଗତ ଥିବା ସତ୍ତ୍ୱେ କମ୍ପାନୀ ଏ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଏହିପରି ପ୍ରେସର କୁକର ବିକ୍ରି କରୁଛି । ବାଧ୍ୟତାମୂଳକ ମାନକ ସହିତ ମେଳ ଖାଉ ନ ଥିବା ମୋଟ ୧,୦୩୩ ୟୁନିଟ୍ ପ୍ରେସର କୁକର୍ କ୍ୟୁସିଓର ବିଜ୍ଞପ୍ତି ପରେ ଆମାଜନ ଇ – କମର୍ସ ପ୍ଲାଟଫର୍ମ ମାଧ୍ୟମରେ କ୍ଲାଉଡଟେଲ୍ ଦ୍ୱାରା ବିକ୍ରି ହୋଇଥିଲା ।
ଏହି କ୍ରମରେ, ସିସିପିଏ କ୍ଲାଉଡଟେଲ୍କୁ ଏହା ଦ୍ୱାରା ବିକ୍ରି ହୋଇଥିବା ୧,୦୩୩ ୟୁନିଟ୍ ପ୍ରେସର କୁକରକୁ ଫେରସ୍ତ ଆଣିବାକୁ ଏବଂ ଖାଉଟି ମାନଙ୍କୁ ପ୍ରେସର କୁକରର ମୂଲ୍ୟ ପ୍ରଦାନ କରିବା ସହିତ ୪୫ ଦିନ ମଧ୍ୟରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । କ୍ୟୁସିଓ ଅଧୀନରେ ଧାର୍ଯ୍ୟ କରା ଯାଇଥିବା ବାଧ୍ୟତାମୂଳକ ମାନଦଣ୍ଡକୁ ଉଲ୍ଲଙ୍ଘନ କରି ଏବଂ ଗ୍ରାହକ ମାନଙ୍କର ଅଧିକାର ଉଲ୍ଲଙ୍ଘନ କରି ଗ୍ରାହକ ମାନଙ୍କୁ ଘରୋଇ ପ୍ରେସର କୁକର ବିକ୍ରି କରିବା କାରଣରୁ କମ୍ପାନୀକୁ ୧,୦୦,୦୦୦ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି ।
କ୍ୟୁସିଓ ଦ୍ୱାରା ବାଧ୍ୟତାମୂଳକ ମାନଦଣ୍ଡର ଉଲ୍ଲଙ୍ଘନ କେବଳ ଜନସାଧାରଣ ମାନଙ୍କର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରେ ନାହିଁ, ବରଂ ଗ୍ରାହକ ମାନଙ୍କର ଜୀବନ ହାନି କରାଇବା ସମେତ ଗୁରୁତର ଆଘାତ ପ୍ରଦାନ କରି ଅସୁରକ୍ଷିତ କରିପାରେ । ବିଶେଷ କରି ଘରୋଇ ପ୍ରେସର କୁକର କ୍ଷେତ୍ରରେ ଏହା ଏକ ବିଶେଷ ଚିନ୍ତାର କାରଣ, ଏହା ଏକ ପାରିବାରିକ ଜିନିଷ, ଯାହା ପରିବାର ସଦସ୍ୟଙ୍କ ପରିସରରେ ଅଧିକାଂଶଙ୍କ ଘରେ ଉପଲବ୍ଧ ହୋଇଥାଏ ।