ସାକ୍ଷୀଗୋପାଳ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳର ପରିଚାଳନା କମିଟିର ସଭାପତି ଡ଼ଃ. ପ୍ରଭାତ କୁମାର ମିଶ୍ରଙ୍କୁ ଗତକାଲି ଅନୁଷ୍ଠାନର ସଭାଗୃହରେ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଵାଗତ ଉତ୍ସବର ସଭାପତି ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ରତିକାନ୍ତ ପରିଡ଼ା ଡ଼ଃ. ମିଶ୍ରଙ୍କୁ ସ୍ଵାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ ଓ ମହାବିଦ୍ୟାଳୟର ଭିତିଭୂମିର ବିକାଶ ପାଇଁ ଅସମ୍ପୂର୍ଣ ଇନଡୋର୍ ଷ୍ଟାଡ଼ିୟମକୁ ସମ୍ପୂର୍ଣ କରିବା, କଲେଜ ପରିସରରେ ବଗିଚା, ଖେଳପଡିଆ, ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ନିର୍ମାଣ ସହିତ ଶୈକ୍ଷିକ ବାତାବରଣକୁ ଅଧିକ ସକ୍ରିୟ କରିବା ପାଇଁ ପାଠଚକ୍ର ଆୟୋଜନ, ଅଭିଭାବକ – ଅଧ୍ୟାପକ ବୈଠକ, ପ୍ରୋକ୍ଟୋରିଆଲ କ୍ଲାସ୍ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ପଠନ ମନଯୋଗୀ କରିବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଆଗାମୀ ସମୟରେ ନିଆଯିବା ପାଇଁ ପରିଚାଳନା କମିଟିର ଅଧ୍ୟକ୍ଷ ସହାୟତା କରିବାକୁ ଅନୁରୋଧ କରିଥିଲେ । ଏତଦ ବ୍ୟତୀତ କିଟ୍ ସହ ସହବନ୍ଧନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ସହ ପରିଚିତ କରାଇବା, ନାକ୍ ଅନୁବନ୍ଧନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ ମଧ୍ୟ କରିଥିଲେ ।
ସମ୍ବର୍ଦ୍ଧନାର ଉତରରେ ନବନିଯୁକ୍ତ କଲେଜ ପରିଚାଳନା କମିଟି ସଭାପତି ଡ଼ଃ. ପ୍ରଭାତ କୁମାର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ଅଧ୍ୟାପକୀୟ ଜୀବନ ଆରମ୍ଭ କରି ପୁନର୍ବାର ପରିଚାଳନା କମିଟି ସଭାପତି ହୋଇ ଫେରିବା ଗୋଟେପ୍ରକାର ଘରବାହୁଡା଼ ବୋଲି ଅଭିହୀତ କରିବା ସହ” ଏହି ଅନୁଷ୍ଠାନ ମତେ ପରିଚୟ ଓ ଆତ୍ମ ଗୌରବ ପ୍ରଦାନ କରିଛି, ବର୍ତମାନ ମୋର ଋଣ ପରିଶୋଧ କରିବାର ବେଳ, କଲେଜର ହିମାଳୟ ପରି ସମସ୍ୟାର ପାହାଡ଼ ସାମୁହିକ ପ୍ରୟାସରେ ସମୟକ୍ରମେ ନିଶ୍ଚୟ ସମାଧାନ ହେବ ” ବୋଲି ସେ ଦୃଢ଼ ଆଶା ପ୍ରକଟ କରିଥିଲେ । ଡ଼ଃ. ମିଶ୍ର ସମସ୍ତ କର୍ମଚାରୀ – ଅଧ୍ୟାପକଙ୍କୁ ସାକ୍ଷୀଗୋପାଳ କଲେଜର କର୍ମଚାରୀ ଭାବେ କୌଣସି ସ୍ଥାନରେ ମୁଣ୍ଡ ନନୁଆଁଇ, ମୁଣ୍ଡଟେକି ଚାଲିବାକୁ ଆହ୍ଵାନ ଦେଇଥିଲେ ଓ ମହାବିଦ୍ୟାଳୟର ନାକ୍ ଅନୁବନ୍ଧନ ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି କହିଥିଲେ ।
ଏହି ଅବସରରେ ପ୍ର. ସୁଜାତା ମହାପାତ୍ର, ପ୍ର. ସତ୍ୟ ଶିବସୁନ୍ଦର ମିଶ୍ର, ପ୍ର. ନଳିନୀ ଲୋଚନ ଦାଶ, ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ମନୋଜ ପରିଡ଼ା, ପ୍ର. ରତ୍ନାକର ସାହୁ, ଡ଼ଃ. ଶଙ୍କର୍ଷଣ ପ୍ରଧାନ, ଡ଼ଃ. ରାଜଶ୍ରୀ ଶତପଥୀ ପ୍ରମୁଖ ଅନୁଷ୍ଠାନର ସମସ୍ୟା ଉପସ୍ଥାପନ କରିଥିଲେ । ସଭାରେ ସ୍ଵାଗତ ଭାଷଣ ଅନୁଷ୍ଠାନର ବଡ଼ବାବୁ ରାଜକିଶୋର ପତି ପ୍ରଦାନ କରିଥିଲାବେଳେ ପ୍ର. ମନୋଜ ପରିଡ଼ା ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।