ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଏମ.ଡି.ଏମ. ପାଚିକା ଓ ସହାୟିକା ସଂଘ ବିଭିନ୍ନ ଦାବି ସମ୍ବଳିତ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମନାଥ ସେଠିଙ୍କୁ ପ୍ରଦାନ କରିଛନ୍ତି। ବ୍ଲକ ସଂଗଠକ ପ୍ରବୀଣ କରଙ୍କ ନେତୃତ୍ଵରେ ବେଗୁନିଆପଡା ସ୍ଵାସ୍ଥ୍ୟ କେନ୍ଦ୍ର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଇଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସର୍ବନିମ୍ନ ମଜୁରୀ ପ୍ରଦାନ, ବର୍ଷତମାମ ନିୟମିତ ଭତା ପ୍ରଦାନ, ଡ୍ରେସ କୋଡ଼ ଓ ପରିଚୟ ପତ୍ର ପ୍ରଦାନ, ପରିଚାଳନା କମିଟିର ଆକ୍ରୋଶମୂଳକ କାର୍ଯ୍ୟ ଓ ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନ କରିବା, ବୀମା ଯୋଜନା ସହ ଉତରାଧିକାରୀଙ୍କୁ ନିଯୁକ୍ତି, ୨୮ ମାସର ବକେୟା ଟଙ୍କା ପ୍ରଦାନ ଆଦି ଦାବି ସମ୍ବଳିତ ପତ୍ର ପ୍ରଦାନ କରିଥିଲେ ।
ଏଥିରେ ଜିଲ୍ଲା ସଭାପତି ରାଜେନ୍ଦ୍ର ଦାସ, ବ୍ଲକ ସଭାନେତ୍ରୀ ଝୁନୁ ପ୍ରଧାନ, ଉପସଭାନେତ୍ରୀ ଛାୟା ବେହେରା, ଉପଦେଷ୍ଟା ରଙ୍କନିଧି ସ୍ଵାଇଁ, ସମ୍ପାଦିକା ପ୍ରଣିତା ରଥ, ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ପାଚିକା ଓ ସହାୟିକାଙ୍କ ପ୍ରତି ଅନ୍ୟାୟ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ ।