କଟକ, କଟକ ଜିଲ୍ଲା ବଡ଼ମ୍ବା ତହସିଲଦାରଙ୍କ ଗାଡ଼ିକୁ ଶନିବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି । ବଡ଼ମ୍ବା ଥାନା ପଥୁରିଆ ସାହିରେ ଘଟିଛି ଏହି ଘଟଣା ।
ବଡ଼ମ୍ବା ତହସିଲଦାରଙ୍କ ଡ୍ରାଇଭର ବିରଂଚି ନାରାୟଣ ପାଟ୍ଟଯୋଶୀ ନିଜ ପଥୁରିଆ ସାହି ସ୍ଥିତ ଘରେ ଗାଡ଼ିଟିକୁ ରଖିଥିଲେ । ବିଳମ୍ବିତ ରାତିରେ ପ୍ରାୟ ୩ ଜଣ ଦୁର୍ବୃତ ଆସି ଗାଡ଼ିର କାଚି ଭାଙ୍ଗି ଦେବା ସହ ସିଟ୍ ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ବାଲି ଓ ପଥର ମାଫିଆମାନେ ଏହି କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି । ଏ ସଂକ୍ରାନ୍ତରେ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ନୀଳକଣ୍ଠ ବେହେରା । ବଡ଼ମ୍ବା ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।