ପୁରୀ, କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅର୍ଥାତ୍ ଆଜିର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଛି । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଛନ୍ତି ।
ଆଡ଼କିଆ ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି ହୋଇଛି । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି । ଏହି ଚୂଳରେ ସ୍ବର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଛି । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଛି ।
କଥିତ ଅଛି, ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ । ପଂଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି । ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ, ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆ ଗୁଡିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ । ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକା ଦ୍ଵାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନଯାଇ ସୁନା କିରୀଟ ଲଗାଯାଏ । ସବୁ ଠାକୁରମାନଙ୍କର ମୁଖର ଉପର ପାର୍ଶ୍ଵରେ ଦୁଇଟି ଲେଖାଏଁ ଆଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତୀତ ମହାପ୍ରଭୁଙ୍କୁ ଅନ୍ୟାନ୍ୟ ଅଳଙ୍କାର ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ ।
ଧର୍ମ ମାସ ପବିତ୍ର କାର୍ତିକ ମାସ ପଚୁଂକର ତୃତୀୟ ଦିବସରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ଵର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଛି । ଏହି ବେଶରେ ମହାପ୍ରଭୁ ଚୂଳ ଧାରଣ କରିଥାନ୍ତି । ଶ୍ରଦ୍ଧାଳୁ ମାନେ ସିଂହଦ୍ଵାର ଦେଇ ମନ୍ଦିର ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ପଚଂକର ପ୍ରଥମ ଦିବସରେ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଦ୍ଵିତୀୟ ଦିବସରେ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତାକାଲି ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ଏବଂ ୮ ତାରିଖ କାର୍ତିକ ପୂର୍ଣ୍ଣମୀ ଦିନ ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହେବ ।