ବଲାଙ୍ଗିର,ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ପୂର୍ବାହ୍ନରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଗବେଷଣା ଧର୍ମୀ ପୁସ୍ତକ କୋଶଲ ସଂସ୍କୃତିର କଥା ‘ମାଁ ମାଏଟ’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହରେ ପୁସ୍ତକର ଲେଖକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ସମେତ ବିଶିଷ୍ଟ ସାହିତ୍ୟିକ ଡ. ଗୋପବନ୍ଧୁ ରଥ, ଡ. ସଞ୍ଜୟ କୁମାର ମିଶ୍ର, ଡ. କୌତୁକ ପନ୍ଦର ଓ ପୁସ୍ତକ ପ୍ରକାଶକ ଅଜିତ କୁମାର ମହାନ୍ତି ମଞ୍ଚାସୀନ ହୋଇ ପୁସ୍ତକ ଲୋକାର୍ପଣ କରିଥିଲେ । ପୁସ୍ତକ ପ୍ରକାଶକ ଶ୍ରୀ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ଡ. ପନ୍ଦର ପୁସ୍ତକ ସମ୍ପର୍କରେ ବିଶେଷ ଆଲୋଚନା କରି ଏହି ପୁସ୍ତକ କୋଶଲ ସଂସ୍କୃତିର ଉଚିତ୍ ବାର୍ତ୍ତାବହ ବୋଲି ମତ ଦେଇଥିଲେ । ଡ. ମିଶ୍ର ମଧ୍ୟ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ସହ ଏହି ଗବେଷଣାଧର୍ମୀ ପୁସ୍ତକ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଯୋଗୁଁ ଏହା ବିଶ୍ଵବିଦ୍ୟାଳୟ ଗୁଡିକରେ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ହେବା ଉଚିତ ବୋଲି ମତ ଦେଇଥିଲେ ।
ଅନ୍ୟତମ ମଞ୍ଚାସୀନ ଅତିଥି ଡ. ରଥ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ସହ ପୁସ୍ତକର ଲେଖକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଉଜ୍ଵଳ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପୁସ୍ତକର ସ୍ରଷ୍ଟା ପୁରୁଷ ଗୁରୁଶ୍ରୀ ଡ. ମିଶ୍ର ନିଜର ଲେଖକୀୟ ଅନୁଭୂତି ସହ ପୁସ୍ତକ ଟିଏ ଲୋକାର୍ପଣ ହେଲେ ଯେଉଁ ଅପୂର୍ବ ଆନନ୍ଦ ଲେଖକକୁ ମିଳିଥାଏ ସେ ସମ୍ପର୍କରେ ଆବେଗମୟ ବକ୍ତବ୍ୟ ପ୍ରଦାନ କରିଥିଲେ ।